ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ନୂଆଦିଲ୍ଲୀ:-କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ରେଫରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଧବାର ମଧ୍ୟ ଜଟିଳ ରହିଛି। ତାଙ୍କ ଫୁସଫୁସ୍‌ ସଂକ୍ରମିତ ହୋଇଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।  ତାଙ୍କୁ ଏବେବି ଜୀବନ ରକ୍ଷା ପ୍ରଣାଳୀରେ ରଖାଯାଇଥିବା ଡାକ୍ତରମାନେ କହିଛନ୍ତି। ମସ୍ତିଷ୍କରେ ସର୍ଜରୀ ପରଠାରୁ ତାଙ୍କୁ ଗତ ୯ ଦିନ ହେଲା ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଛି।

ତେବେ ବୁଧବାର ତାଙ୍କର କ୍ଲିନିକାଲ କଣ୍ଡିସନରେ ଅଧିକ ହ୍ରାସ ହେଉଥିବା ହସ୍ପିଟାଲ ଅଧିକାରୀମାନେ କହିଛନ୍ତି। ବିଶେଷଜ୍ଞଙ୍କ ଏକ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିୟମିତ ନଜର ରଖିଛନ୍ତି। ତେବେ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମଙ୍ଗଳବାର ତାଙ୍କ ଟ୍ୱିଟ୍‌ରେ ସୂଚିତ  କରିଥିଲେ। ଏଥିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ନିୟନ୍ତ୍ରଣରେ ଥିବା ଓ ସୁଧାରର ସଙ୍କେତ ମିଳୁଥିବାର ମଧ୍ୟ ଉଲ୍ଲେଖ କରିଥିଲେ।

ତାଙ୍କର ଦ୍ରୁତସୁସ୍ଥତା ନିମନ୍ତେ ପ୍ରାର୍ଥନା କରିବା ଲାଗି ଅଭିଜିତ ଟ୍ୱିଟ୍‌ରେ ଅନୁରୋଧ କରିଥିବା ବେଳେ ବୁଧବାର ତାଙ୍କ ଫୁସଫୁସ୍‌ରେ ସଂକ୍ରମଣ ଥିବା ନେଇ ଡାକ୍ତରମାନେ ସୂଚିତ କରିବା ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *