ରାଜ୍ୟରେ ପୁଣି ୨୨୩୯ ନୂଆ ସଂକ୍ରମିତ ଚିହ୍ନଟ, ସମୁଦାୟ ମୃତ୍ୟୁ ସଂଖ୍ୟା ୩୬୨କୁ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟରେ କରୋନା ଟେଷ୍ଟିଂ ବଢିବା ସହ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦିନ ବଢିବା ସହ ନୂଆ ନୂଆ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ୨୪ଘଣ୍ଟାରେ ୨୯ ଜିଲ୍ଲାରୁ ଆଉ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୪୧୬, ଲୋକାଲ୍ କେସ୍ ୮୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଗତକାଲି ୨୨୪୪ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୨୩୯ ସଂକ୍ରମିତ ଯାହା ପୂର୍ବ ୪ଦିନ ହେବ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ କମ୍ ରହିଛି ।ଖୋର୍ଦ୍ଧାରୁ ସର୍ବାଧିକ ୪୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୨୬୪, ନୟାଗଡ଼ରୁ ୧୪୭, କଟକରୁ ୧୧୭, ବାଲେଶ୍ୱରରୁ ୧୩୦, ରାୟଗଡ଼ାରୁ ୧୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୯୧, କନ୍ଧମାଳରୁ ୯୦, ମୟୂରଭଞ୍ଜରୁ ୮୦, ଯାଜପୁରରୁ ୭୫, ଭଦ୍ରକରୁ ୭୩, କେନ୍ଦୁଝରରୁ ୭୨, ବଲାଙ୍ଗୀରରୁ ୬୬, ସୁନ୍ଦରଗଡ଼ରୁ ୬୪, ମାଲକାନଗିରିରୁ ୫୫, ବୌଦ୍ଧ ଓ ସମ୍ବଲପୁରରୁ ୫୩ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୫୧, ଗଜପତିରୁ ୪୨, ପୁରୀରୁ ୪୦, ଢେଙ୍କାନାଳରୁ ୩୬, ଜଗତସିଂହପୁରରୁ ୨୬, ସୋନପୁରରୁ ୨୪, କଳାହାଣ୍ଡିରୁ ୨୧, ନବରଙ୍ଗପୁରରୁ ୧୪, ଝାରସୁଗୁଡ଼ାରୁ ୧୩, ନୂଆପଡ଼ାରୁ ୮, କେନ୍ଦ୍ରାପଡ଼ାରୁ ୭, ଅନୁଗୁଳରୁ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଅନ୍ୟପଟେ ମଙ୍ଗଳବାରରେ ରାଜ୍ୟରେ କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩, ରାୟଗଡ଼ାରୁ ୨, ମାଲକାନଗିରି, ସମ୍ବଲପୁର, ବାଲେଶ୍ବର ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନାରେ ମୋଟ୍ ୩୬୨ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭଙ୍କ ସଂଖ୍ୟା ୬୪ହଜାର ୫୩୩କୁ ବୃଦ୍ଧି ହୋଇଛି । ଅନ୍ୟପଟେ ରାଜ୍ୟରେ ସୁସ୍ଥ ହାର ସାମାନ୍ୟ ଅଶ୍ୱସ୍ଥି ଦେଇଛି ଏପର୍ଯ୍ୟନ୍ତ ସୁଦ୍ଧା ୪୩ହଜାର ୭୭୯ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।










