କରୋନା ଯୋଦ୍ଧା ମାଗୁଛନ୍ତି ଲାଞ୍ଚ,ଗାଡି ଡ୍ରାଇଭର୍‌ଙ୍କୁ ୨ ହଜାର ମାଗୁଛି ପୋଲିସ, ଏସପି ଦେଲେ ତଦନ୍ତ ନିର୍ଦ୍ଦେଶ

ଯାଜପୁର- ଟ୍ରାଫିକ୍‌ ନିୟନ୍ତଣ ନାଁରେ ପୁଲିସ ବାବୁଙ୍କ ଦାଦାଗିରି । ପୁଣି ଖୋଲମ ଖୋଲା ଟଙ୍କା ଲାଞ୍ଚ ମାଗୁଛନ୍ତି । ଏବେ କରୋନା ଯୋଦ୍ଧା ବୋଲି ସାରା ଦେଶ ସମ୍ମାନ ଦେଉଥିବା ବେଳେ ଏମିତି କେତକ ପୁଲିସଙ୍କ ଯୋଗୁଁ ବିଭାଗ ବଦନାମ ହେଉଥିବା ଚର୍ଚ୍ଚା ହେଉଛି । ଲୋକଙ୍କୁ ନ୍ୟାୟ ଦେବେ କଅଣ ନିଜର ପକେଟ ଗରମ କରୁଛନ୍ତି । ଏମିତି ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ବାଲେଶ୍ୱର ଜିଲ୍ଲାରେ ଜଣେ ଥାନା ଅଧିକାରୀଙ୍କ ଅଡିଓ ଡ୍ରଗ୍ସ ମାଫିଆଙ୍କ ସହ ଲୋକ ଲୋଚନକୁ ଆସିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କଟକରେ ହେଲ୍‌ମେଟ୍ ଚେକିଂ ବେଳେ ଟଙ୍କା ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍‌ ହେବାପରେ ଏଏସ୍‌ଆଇଙ୍କୁ ନିଲମ୍ବିତ କରାଯାଇଥିଲା । ଏବେ ଯାଜପୁର ଜିଲ୍ଲାରେ ପୁଲିସ ଏସ୍‌ଆଇଙ୍କ ଜୁଲୁମ୍‌ । ବାବୁ ପୁଲିସ ଗାଡିରେ ବସିଛନ୍ତି । ହେଡ୍‌ ଗିୟର ବା ପ୍ରୋଟେକ୍ସନ ମୁହଁରେ ଲଗାଇଛନ୍ତି । ଏଥିରେ ଗାଡି ଡ୍ରାଇଭର୍‌ଙ୍କୁ ଜୋର କରି ୨ ହଜାର ମାଗୁଥିବା ଅଭିଯୋଗ ହୋଇଛି ।ଏହା ଯାଜପୁର ଟମକା ଅଞ୍ଚଳର । ଏସ୍‌ଆଇ ମହମ୍ମଦ ସୁରଜ ଜଣେ ଡ୍ରାଇଭରଙ୍କୁ ଜୋର ଜବରଦସ୍ତ ୨ ହଜାର ଦେବା ପାଇଁ ଦାବି କରୁଥିବା ଅଭିଯୋଗ ହୋଇଛି । ଭିଡିଓ ବି ଭାଇରାଲ୍‌ ହୋଇଛି । ୨ ହଜାର ଦେ ନହେଲେ ୧୦ ହଜାର ଦେଇ ଗାଡି ନେବୁ ବୋଲି ଧମକ ଦେଉଛନ୍ତି । ବିଚରା ଡ୍ରାଇଭର ବି ବାଧ୍ୟ ହୋଇ କିଛି ଟଙ୍କା ଦେଉଛନ୍ତି । ହେଲେ ଏହାର ଚାଲାଣ ତାଙ୍କୁ ଦିଆଯାଉ ନାହିଁ କି ଚାଲାଣ କଟାଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ଟ୍ରକ ଡ୍ରାଇଭର ନେହୁରା ହେଉଛି । ତା ମାଆ ଚାଲିଯାଇଥିବାରୁ କିଛି ଖାଇ ନଥିବା କଥା କହୁଛି । ହେଲେ ପୁଲିସ ବାବୁ ନଛାଡେ ବନ୍ଧା । ପୁଲିସ ବାବୁ ବି ପୋଷକରେ ନାହାନ୍ତି । ସାଧା ପୋଷାକରେ ଗାଡିରେ ବସି ଟଙ୍କା ଲାଞ୍ଚ ମାଗିବାରେ ବ୍ୟସ୍ତ ଥିବା ଅଭିଯୋଗ ହୋଇଛି ।
ଘଟଣାର ତଦନ୍ତ ପାଇଁ ଯାଜପୁର ଏସ୍‌ପି ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *