ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ନୀଳଗିରି:– ନୀଳଗିରି ଥାନା ଅଧିନ ସିଆଡ଼ିମାଳ ପଞ୍ଚାୟତ ସୀତାପତିପୁର ଗାଁରେ ଜଣେ ଯୁବକ ନିଜ ସ୍ତ୍ରୀକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ସୀତାପତିପୁର ଗ୍ରାମର ଗୁରୁମୋହନ ସିଂଙ୍କ ପୁଅ ଚନ୍ଦନ ସେହି ଗ୍ରାମର ଉମାକାନ୍ତ ବେହେରାଙ୍କ ଝିଅ ସୁଭଦ୍ରାଙ୍କୁ ୮ ବର୍ଷ ପୂର୍ବେ ଭଲପାଇ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ପୂର୍ବରୁ ଚନ୍ଦନ ତାଙ୍କ ସ୍ତ୍ରୀକୁ ନିର୍ଯ୍ୟାତନା ଦେବାସହ ମାଡ଼ ମାରୁଥିଲେ। ପୂର୍ବରୁ ଏଭଳି ଘଟଣାକୁ ନେଇ ସୁଭଦ୍ରା ବାପ ଘରକୁ ପଳାଇ ଆସିବା ପରେ ଗାଁର ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇଥିଲା। ଗତକାଲି ସୁଭଦ୍ରାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ମହିଳାଙ୍କ ବାପ ଘର ଲୋକେ କହସ୍ପିଟାଲରେ ପହଁଞ୍ଚିବା ବେଳକୁ ତାଙ୍କ ଶ୍ୱଶୁର ଘର ଲୋକ ସେଠାରେ ନଥିବା ଦେଖି ସନ୍ଦେହ ବଢିଥିଲା। ତେବେ ତାଙ୍କ ଝିଅକୁ ଚନ୍ଦନ ତାଙ୍କ ପରିବାର ଲୋକଙ୍କ ସହ ମିଶି ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା। ମୃତକଙ୍କ ଶରୀରରେ ମଧ୍ୟ କ୍ଷତ ଚିହ୍ନ ଥିବା ପରିବାର ଲୋକେ ଦାବି କରିଛନ୍ତି। ତେବେ ଥାନାରେ ଲିଖିତ ଅଭିଯୋଗ ପରେ ସ୍ବାମୀ ଚନ୍ଦନକୁ ଅଟକ ରଖାଯାଇଛି। ପୋଲିସ ମୃତଦେହର ପୋଷ୍ଟ ମର୍ଟମ କରିବା ସହ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *