ଜଣେ ଆଇଏଏସ୍ଙ୍କ ସହ ସଚ୍ଚିବାଳୟରୁ ୩ କୋଭିଡ଼ ସଂକ୍ରମିତ,
ଭୁବନେଶ୍ୱର:-ରାଜଧାନୀର ଏକ ନାମୀ ପଞ୍ଚତାରକା ହୋଟେଲରୁ ୧୮ଜଣ ସଂକ୍ରମିତ ବାହାରିଛନ୍ତି । ଏମାନେ ସମସ୍ତେ ହୋଟେଲର କର୍ମଚାରୀ । ପୁଣି ସ୍ୱାସ୍ଥ୍ୟ ବିଭାଗର ଜଣେ ମହିଳା ଆଇଏଏସ୍ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ସୂତ୍ରରୁ ଜଣାପଡ଼ିଛି । ତାଙ୍କ ସମେତ ବିଭାଗର ୩ଜଣ ଅଧିକାରୀ ସଂକ୍ରମିତ ହୋଇଛନ୍ତି ।ଏହି ଆଇଏଏସ୍ ଅଫିସରଙ୍କ କୌଣସି ଲକ୍ଷଣ ନଥିବାରୁ ହୋମ୍ ଆଇସୋଲେସନ୍ରେ ଅଛନ୍ତି । ସେ ୟୁନିଟ୍-୧ ଅଞ୍ଚଳରେ ଥିବା ନିଜ ସରକାରୀ କ୍ୱାର୍ଟର୍ସରେ ରହୁଛନ୍ତି । ସେହିଭଳି ବିଏମ୍ସି ଉତ୍ତର ଜୋନ୍ ଅଫିସ୍ରୁ ଆଉ ଜଣେ କର୍ମଚାରୀ ପଜିଟିଭ୍ ବାହାରିଛନ୍ତି । ସେ ଜଣେ ଶିକ୍ଷକ । କୋଭିଡ୍ ଡ୍ୟୁଟିରେ ତାଙ୍କୁ ବିଏମ୍ସି ଜୋନ୍ ଅଫିସରେ ନିୟୋଜିତ କରାଯାଇଥିଲା ।
କିଛି ଦିନ ତଳେ ଜୋନ୍ର ଜଣେ ୱାର୍ଡ ଅଫିସରଙ୍କ ନମୁନା ପଜିଟିଭ୍ ଆସିଥିଲା । ୨୧ଜଣ ୱାର୍ଡ ଅଫିସରଙ୍କ ସହ ଉତ୍ତର ଜୋନ୍ରେ କାମ କରୁଥିବା ଅନେକ କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ଏଥିପାଇଁ ଆଜି ଜୋନ୍ ଅଫିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ପରୀକ୍ଷା ଶିବିର ହୋଇଥିଲା । ଏଥିରେ ଜୋନ୍ର ସମସ୍ତ କର୍ମଚାରୀ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଇଥିଲେ । ପରୀକ୍ଷା ରିପୋର୍ଟରୁ ଏହି ଜଣଙ୍କ ନମୁନା ପଜିଟିଭ୍ ଆସିଛି । ଏହାକୁ ନେଇ ଜୋନ୍ କର୍ମଚାରୀଙ୍କ ଭିତରେ ଭୟ ବଢିଛି । ଜୋନ୍ ଅଫିସ୍ କର୍ମଚାରୀଙ୍କ ସହ ଏକ ପଞ୍ଚତାରକା ହୋଟେଲର କର୍ମଚାରୀମାନେ ଏହି ପରୀକ୍ଷା ଶିବିରରେ ନମୁନା ଦେଇଥିଲେ । ଆଣ୍ଟିଜେନ୍ ପରୀକ୍ଷା ରିପୋର୍ଟରୁ ହୋଟେଲର ୧୮ଜଣ ସଂକ୍ରମିତ ହୋଇଥିବା ବିଏମ୍ସି ସୂତ୍ରରୁ ସୂଚନା ମିଳିଛି । ହୋଟେଲକୁ ତୁରନ୍ତ ସିଲ୍ କରିବାକୁ ପଦକ୍ଷେପ ନିଆଯିବ ବୋଲି ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି । ମଙ୍ଗଳବାର ରାଜଧାନୀରୁ ଆଉ ୧୦୯ଜଣ ନୂଆ ସଂକ୍ରମିତ ବାହାରିଛନ୍ତି । ଏଥିରୁ ୬୦ଜଣ କ୍ୱାରେଣ୍ଟାଇନ୍ରେ ଥିଲେ । ବାକି ୪୯ଜଣ ସ୍ଥାନୀୟ ସଂକ୍ରମିତ । ତେବେ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୧୭୧ରେ ପହଞ୍ଚିଛି ।
ପୁରୁଣା ଭୁବନେଶ୍ୱର ରାମେଶ୍ୱରପାଟଣାରୁ ୪ଜଣ, ନୂଆ ଫରେଷ୍ଟ ପାର୍କରୁ ୪, ୟୁନିଟ୍-୮ରୁ ୪, ସୁନ୍ଦରପଦାରୁ ୩, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରୁ ୩, ଜିଜିପି କଲୋନୀରୁ ୨, ସାଲିଆ ସାହିରୁ ୨, ଜୟଦେବ ବିହାରରୁ ୨, ଡେଲ୍ଟା ଛକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଡଗଡ ଅଞ୍ଚଳରୁ ୪, ପଟିଆ ତ୍ରିଷ୍ଣା ଏନକ୍ଲେଭ୍ ପାଖରୁ ୨, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରୁ ୨, ବୁଦେ୍ଧଶ୍ୱରୀ କଲୋନୀରୁ ୨, କାନନ ବିହାର ଫେଜ୍-୨ରୁ ୨ଜଣ ସଂକ୍ରମିତ ବାହାରିଛନ୍ତି । ମଙ୍ଗଳବାର ରାଜଧାନୀରୁ ୧୩୪ଜଣ ସୁସ୍ଥ ହୋଇଛନ୍ତି । ସହରରୁ ବର୍ତ୍ତମାନ ସୁଦ୍ଧା ମୋଟ ୨୮୦୭ଜଣ ସୁସ୍ଥ ହେଲେଣି ।