ଭୁବନେଶ୍ୱରରୁ ଆଣି ତିର୍ତ୍ତୋଲରେ ହତ୍ୟା !
ଜଗତସିଂହପୁର :-ତିର୍ତ୍ତୋଲ ଗୋପିଆକୁଦ (ତାର୍ତ୍ତୋଲ ପୋଲ) ନିକଟରୁ ମିଳିଥିବା ଯୁବକଙ୍କ ମୃତଦେହ ଚିହ୍ନଟ ହୋଇଛି । ସେ ହେଲେ ଶରତ କୁମାର ନାୟକ(୨୮), ଘର ଦଶପଲ୍ଲା ଥାନା ଅଧୀନ ନରାଜପଡ଼ା । ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ଜାଣି ପୁଲିସ ଏବେ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଖଣ୍ଡଗିରି ପୁଲିସ ସହାୟତାରେ ଏହି ହତ୍ୟାକାଣ୍ଡରେ ଜଣେ ଯୁବକ ଓ ଅନ୍ୟ ଜଣେ ବୟସ୍କ ବ୍ୟକ୍ତିଙ୍କୁ ତିର୍ତ୍ତୋଲ ଥାନାରେ ଅଟକ ରଖାଯାଇଛି । ତଦନ୍ତରେ ବାଧା ହେବା ଦୃଷ୍ଟିରୁ ତିର୍ତ୍ତୋଲ ପୁଲିସ ଅଧିକ କିଛି ସୂଚନା ଦେବାକୁ ମନା କରିଦେଇଛି । ତେବେ ଅଟକ ଦୁଇ ଜଣଙ୍କ ଭିତରୁ ଜଣଙ୍କ ଘର ବଣିତୋ ମଠସାହି ହୋଇଥିବା ବେଳେ ବୟସ୍କ ବ୍ୟକ୍ତିଙ୍କ ଘର ଗଞ୍ଜାମ ଅଞ୍ଚଳରେ ବୋଲି ଜଣାପଡ଼ିଛି । ତେବେ ଗଞ୍ଜାମର ବୟସ୍କ ବ୍ୟକ୍ତି ଘଟଣା ବିଷୟରେ କିଛି ଜାଣି ନଥିବା କହୁଥିବା ବେଳେ ବଣିତୋର ଅଟକ ଯୁବକ ପୁଲିସକୁ ଭୂଆଁ ବୁଲାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ।
ଏଣେ ବଣିତୋ ମଠସାହିରୁ ଏକ ପିକ୍ ଅପ୍ ଭ୍ୟାନ୍କୁ ଜବତ କରାଯାଇଛି । ଉକ୍ତ ପିକ୍ଅପ୍ ଭ୍ୟାନ୍ର ଚାଳକ ଶରତଙ୍କ ମୃତଦେହ ଗୋପିଆକୁଦ ନିକଟରୁ ଉଦ୍ଧାର ହୋଇଥିବାରୁ ଏହା ହତ୍ୟାକାଣ୍ଡ ବୋଲି ମନେ କରି ପୁଲିସ ବଣିତୋ ମଠସାହିର ଯୁବକଙ୍କୁ ଜେରା କରୁଛି । ତଥାପି ପୂରା ଘଟଣା ଉପରୁ ରହସ୍ୟ ଉଠିପାରି ନାହିଁ । କାରଣ ପିକ୍ଅପ୍ ଭ୍ୟାନ୍ଟି ଖଣ୍ଡିଗିରି ଥାନା ଅଞ୍ଚଳରୁ ଭଡ଼ା ସୂତ୍ରରେ ତିର୍ତ୍ତୋଲ ଅଣାଯାଇଥିଲା । ମାତ୍ର ଗାଡ଼ି ସହ ଚାଳକଙ୍କର ପତ୍ତା ନମିଳିବା ପରେ ଗାଡ଼ି ମାଲିକ ପ୍ରଥମେ ଖଣ୍ଡଗିରି ଥାନାକୁ ଯାଇଥିଲେ । ସେଠି ରିପୋର୍ଟ ଦେଇଥିଲେ ସୁଦ୍ଧା ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ । ଏହା ଭିତରେ ଅର୍ଥାତ ଗତ ଦୁଇ ଦିନ ତଳେ ବିଳମ୍ବିତ ରାତିରେ ଦମକଳ ବାହିନୀ ପକ୍ଷରୁ ଗୋପିଆକୁଦ ପାଖ ରାସ୍ତାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପିକ୍ଅପ୍ ଚାଳକଙ୍କୁ ଉଦ୍ଧାର କରାଯାଇ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ମାତ୍ର ଏଠାରେ ସଂପୃକ୍ତ ଚାଳକଙ୍କୁ ମୃତ ଘୋଷଣା କରାଯାଇଥିଲା । ଯେହେତୁ ମୃତଦେହ ଚିହ୍ନଟ ହୋଇନଥିଲା, ତେଣୁ ତିର୍ତ୍ତୋଲ ପୁଲିସ ପକ୍ଷରୁ ମୃତକଙ୍କ ଫଟୋକୁ ବିଭିନ୍ନ ଥାନାକୁ ପଠାଯାଇଥିଲା । ଏଣେ ଖଣ୍ଡଗିରି ପୁଲିସ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ତିର୍ତ୍ତୋଲରୁ ମିଳିଥିବା ଜାଣିବା ପରେ ସଂପୃକ୍ତ ଗାଡ଼ି ମାଲିକଙ୍କୁ ଅବଗତ କରିଥିଲେ । ଉକ୍ତ ଗାଡ଼ିର ମାଲିକ ତିର୍ତ୍ତୋଲକୁ ଆସିବା ପରେ ମୃତଦେହ ନିଜ ଗାଡ଼ିର ଚାଳକଙ୍କର ବୋଲି ଜାଣିବାକୁ ପାଇଥିଲେ ।
ସେ ଦୃଷ୍ଟିରୁ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହେବା କଥା । ମାତ୍ର ମୃତଦେହ ତିର୍ତ୍ତୋଲ ଥାନା ଅଞ୍ଚଳରୁ ମିଳିଥିବାରୁ ଏବେ କେଉଁ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯିବ ତାହାକୁ ନେଇ ଟଣାଭିଡ଼ା ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି । ମିଳିଥିବା ଖବର ମୁତାବକ, ଅଟକ ବଣିତୋ ମଠସାହିର ଯୁବକ ୭/୮ ବର୍ଷ ତଳୁ ଭୁବନେଶ୍ୱରରେ ରହି ଅଟୋ ଚଳାଉଛନ୍ତି । ମଝିରେ ମଝିରେ ଗାଁକୁ ନୂଆ ନୂଆ ଅଟୋ ମଧ୍ୟ ନେଇ ଆସିଥାନ୍ତି । ଦୁଇ ଦିନ ତଳେ ଏହି ଯୁବକ ଏହି ପିକ୍ଅପ୍ ଭ୍ୟାନ୍କୁ ଗାଁକୁ ଆଣି ରଖି ଦେଇ ଚାଲି ଯାଇଥିଲେ । ଯୁବକଙ୍କ ଡାକ ନାମ ‘ବଅ’ ବୋଲି କୁହାଯାଉଥିବା ବେଳେ ଅନ୍ୟତମ ଅଟକ ଗଞ୍ଜାମର ବ୍ୟକ୍ତିଙ୍କ ବାବଦରେ କିଛି ବି ତଥ୍ୟ, ପ୍ରମାଣ ପୁଲିସର ହସ୍ତଗତ ହୋଇନାହିଁ । ତେବେ ହତ୍ୟାରେ ତାଙ୍କ ସଂପୃକ୍ତି ଥିବା ବଣିତୋର ଯୁବକ ପୁଲିସ ପାଖରେ ସ୍ୱୀକାର କରିଥିବା କୁହାଯାଉଛି । ମାତ୍ର ସଂପୃକ୍ତ ବୟସ୍କ ବ୍ୟକ୍ତି ଘଟଣା ବିଷୟରେ କିଛି ଜାଣିନଥିବା ପୁଲିସକୁ ଜଣାଇଛନ୍ତି । ତିର୍ତ୍ତୋଲ ପୁଲିସ ଏବେ ଦୁଇ ଅଟକଙ୍କ ଭିତରୁ କାହା କଥା ସତ ଜାଣିବାକୁ ପ୍ରୟାସ ଚଳାଇଛି ।