ସେପ୍‌ଟେମ୍ବର ୧୪ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଗୋଟିଏ ସିଟିଂରେ ପରୀକ୍ଷା

କଟକ,:–ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ୨୨ ତାରିଖଯାଏ ଚାଲିବ । ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ସେପ୍‌ଟେମ୍ବର ୧୪ରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ । ଉଭୟ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । ପରୀକ୍ଷା ଗୋଟିଏ ସିଟିଂ ଓ ଗୋଟିଏ ପ୍ରଶ୍ନପତ୍ରରେ କରାଯିବ । ସକାଳ ୯ଟା ୪୫ରେ ଉଭୟ ସଂକ୍ଷିପ୍ତ ଉତ୍ତରମୂଳକ (ଅବ୍‌ଜେକ୍‌ଟିଭ୍‌) ଓ ଦୀର୍ଘ ଉତ୍ତରମୂଳକ (ସବ୍‌ଜେକ୍‌ଟିଭ୍‌) ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ଦିଆଯିବ।

ଅବ୍‌ଜେକ୍‌ଟିଭ୍‌ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୧ଟାରେ ଶେଷ ହେବ । ୧୧ଟାରୁ ସବ୍‌ଜେକ୍‌ଟିଭ୍‌ ପରୀକ୍ଷା ଆରମ୍ଭ ହୋଇ ୧୨ଟାରେ ଶେଷ ହେବ । ପରୀକ୍ଷାର୍ଥୀମାନେ ଅବ୍‌ଜେକ୍‌ଟିଭ୍‌ ପରୀକ୍ଷା ଓଏମ୍‌ଆର୍‌ (ଅପ୍‌ଟିକାଲ୍‌ ମାର୍କ ରେକଗ୍‌ନିସନ୍‌) ସିଟ୍‌ରେ ଦେବେ ଓ ସବ୍‌ଜେକ୍‌ଟିଭ୍‌ ପରୀକ୍ଷା ପ୍ରଶ୍ନ କମ୍‌ ଉତ୍ତର ବୁକ୍‌ଲେଟ୍‌ରେ ଦେବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆଜି ସୂଚନା ଦିଆଯାଇଛି ।

ସେପ୍ଟେମ୍ବର ୧୪ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ରହିଥିବାବେଳେ ୧୫ରେ ଇଂରାଜୀ ଓ ମୂକ ବଧିର ପରୀକ୍ଷାର୍ଥୀଙ୍କ ପରିବେଶ, ଜନସଂଖ୍ୟା ପରୀକ୍ଷା ରହିଛି । ସେହିପରି ୧୬ ଓ ୧୮ ତାରିଖରେ ତୃତୀୟ ଭାଷା ଯଥାକ୍ରମେ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ରହିଛି । ୧୯ରେ ଗଣିତ, ୨୦ରେ ଭିଜୁଆଲ ଆର୍ଟର ପ୍ରାକ୍ଟିକାଲ ପରୀକ୍ଷା, ୨୧ରେ ସାଧାରଣ ବିଜ୍ଞାନ ପରୀକ୍ଷା, ୨୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ରହିଛି । ଏସ୍‌ଓଏସ୍‌ସିର ଅଲଗା ପରୀକ୍ଷା ସୂଚୀ ରହିଛି ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ କହିଛନ୍ତି ।

Leave a Reply

Your email address will not be published. Required fields are marked *