ଶାହାଙ୍କ କୋଭିଡ଼ ରିପୋର୍ଟ ନେଇ ମିଛ କହିଥିଲେ ମନୋଜ ତିୱାରୀ
ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି । ନିଜ ଆଡ଼ୁ ସେ ସୁସ୍ଥ ହେବା ନେଇ କୌଣସି ସୂଚନା ଦେଇନାହାନ୍ତି । ତେବେ ବିଜେପି ସାଂସଦ ମନୋଜ ତିୱାରୀ ଏନେଇ ଟ୍ୱିଟରେ ମିଛ ସୂଚନା ଦେଇଥିଲେ । ଅମିତ ଶାହାଙ୍କ କୋଭିଡ଼ ରିପୋର୍ଟ ନେଗେଟିଭ ଆସିଥିବା ନେଇ ତିୱାରୀ ସୂଚନା ଦେବା ପରେ ଏଏନଆଇ ପକ୍ଷରୁ ଏନେଇ ଗୃହ ମନ୍ତ୍ରଣାଳୟକୁ ଯୋଗାଯୋଗ କରାଯାଇଥିଲା । ଏଭଳି ରିପୋର୍ଟକୁ ଗୃହ ମନ୍ତ୍ରଣାଳୟ ଖଣ୍ଡନ କରିବା ସହ ଶାହାଙ୍କର ଟେଷ୍ଟିଂ କରାଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଫଳରେ ମନୋଜ ତିୱାରୀ ନିଜ ଟ୍ୱିଟକୁ ଡିଲିଟ କରିଦେଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ତାଙ୍କୁ ଟ୍ରୋଲମାନଙ୍କର ସମ୍ମୁଖୀନ ହେବାକୁ ପଡ଼ିଛି ।
ସମ୍ପ୍ରତି ଅମିତ ଶାହା ମେଦାନ୍ତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଗଷ୍ଟ ୨ରୁ ସେ ହସପିଟାଲରେ ଅଛନ୍ତି । ସେ ସୁସ୍ଥ ଥିବାବେଳେ ଏମ୍ସର ଏକ ଡାକ୍ତରୀ ଟିମ ମଧ୍ୟ ତାଙ୍କର ଚିକିତ୍ସା କରୁଛନ୍ତି । ହସପିଟାଲରେ ଥାଇ ଶାହା ଅଫିସ କାର୍ଯ୍ୟ କରିବା ସହ କରୋନା ଲଢେ଼ଇର ସ୍ଥିତି ପରଖୁଥିବା କୁହାଯାଇଛି ।