କୁଳଭୂଷଣ ମାମଲା ବିଚାର ପାଇଁ ଗଠନ ହେଲା ବୃହତ୍ତର ବେଞ୍ଚ

ଇସ୍‌ଲାମାବାଦ:-କୁଳଭୂଷଣ ଯାଦବ ମାମଲାରେ ଭାରତର କୂଟନୈତିକ ଚାପ ନିକଟରେ ପାକିସ୍ତାନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି । ଏହି ମାମଲାର ବିଚାର ପାଇଁ ଇସ୍‌ଲାମାବାଦ ହାଇକୋର୍ଟ ଏକ ବୃହତ୍ତର ବେଞ୍ଚ ଗଠନ କରିଛନ୍ତି । ଗତ ସୋମବାର ହାଇକୋର୍ଟ ମଧ୍ୟ କୁଳଭୂଷଣଙ୍କ ପକ୍ଷ ରଖିବା ଲାଗି ୩ ଜଣ ଓକିଲଙ୍କୁ ନିଯୁକ୍ତ କରିଥିଲେ । ନୂଆ ବେଞ୍ଚରେ ହାଇକୋର୍ଟର ମୁଖ୍ୟ ବିଚାରପତି ଅତହର ମିନ୍‌ଲାହ, ଆମିର ଫାରୁକ୍‌ ଓ ମିଆଁ ଗୁଲ ହସନ ଔରଙ୍ଗଜେବ ସାମିଲ ଅଛନ୍ତି ।

ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ନୂଆ ବେଞ୍ଚ କୁଳଭୂଷଣ ମାମଲାର ଶୁଣାଣି କରିବେ । ଭାରତ ଲଗାତାର ଭାବେ ପାକିସ୍ତାନ ଉପରେ କୂଟନୈତିକ ଚାପ ପକାଇବା ସହ କୁଳଭୂଷଣଙ୍କୁ କନ୍‌ସୁଲାର ଆକ୍ସେସ (କୂଟନେତିକ ସାନ୍ନିଧ୍ୟ)ଦେବାକୁ କହିଆସୁଛି । ସେପଟେ ଇମ୍ରାନ ସରକାର କୁଳଭୂଷଣଙ୍କୁ ଆଇନଗତ ସହାୟତା ଦେବା ଲାଗି ଭାରତ ସରକାରଙ୍କ ସହ ଯୋଗାଯୋଗ କରିଥିବାର ଦାବି କରିଛନ୍ତି । କିନ୍ତୁ ଭାରତର ବିଦେଶ ମନ୍ତ୍ରଣାଳୟ ଏଭଳି କୌଣସି ଯୋଗାଯୋଗକୁ ଖଣ୍ଡନ କରିଛି ।

ଭାରତୀୟ ଅଧିକାରୀଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦେବା ଲାଗି ଇସ୍‌ଲାମାବାଦ ହାଇକୋର୍ଟ ରାୟ ଦେଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି । କିନ୍ତୁ ଏ ସମ୍ପର୍କରେ ପାକିସ୍ତାନ ପକ୍ଷରୁ କିଛି ସୂଚନା ଦିଆଯାଇ ନଥିବା ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି । ପାକିସ୍ତାନରେ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ କୁଳଭୂଷଣଙ୍କୁ ୨୦୧୬ ମାର୍ଚ୍ଚରେ ଗିରଫ କରାଯାଇଥିଲା । ଏହାର ବିଚାର ପରେ ୨୦୧୭ରେ ତାଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ତେବେ ଭାରତ ଏହି ମାମଲାରେ ଆନ୍ତର୍ଜାତିକ ନ୍ୟାୟାଳୟ (ଆଇସିଜେ)ର ଦ୍ୱାରସ୍ଥ ହୋଇଥିଲା । ୨୦୧୯ ଜୁଲାଇରେ ଆଇସିଜେ କୁଳଭୂଷଣଙ୍କ ଫାଶୀ ଉପରେ ରୋକ୍‌ ଲଗାଇବା ସହ ତାଙ୍କ ମାମଲାର ସାନି ବିଚାର କରିବାକୁ ପାକିସ୍ତାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *