ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କର ହେବ କରୋନା ଟେଷ୍ଟ

କୋଝିକୋଡ: -ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ସମସ୍ତ ଲୋକଙ୍କର କରୋନା ଟେଷ୍ଟ କରିବେ କେରଳ ସରକାର। ଆଜି ଏନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜା ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଝିକୋଡ ବିମାନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଅନେକ ଲୋକ ସାମିଲ ହୋଇଥିଲେ। ଏବେ ସମସ୍ତେ ନିଜ ଆଡ଼ୁ ସେଲଫ କ୍ୱାରେଣ୍ଟାଇନ ହୁଅନ୍ତୁ।

ଏହାପରେ ରାଜ୍ୟ ସରକାର ସମସ୍ତଙ୍କର କରୋନା ଟେଷ୍ଟ କରାଇବେ। ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଲୋକମାନେ ସେମାନଙ୍କ ତଥ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଦେବେ। ସ୍ୱାସ୍ଥ୍ୟ ବିଭାଗ ତାଲିକା ପ୍ରସ୍ତୁତ କରି ପର୍ଯ୍ୟାୟକ୍ରମେ ସେମାନଙ୍କର କରୋନା ଟେଷ୍ଟ କରିବ ବୋଲି ସେ ସୂଚନା ଦେଇଛନ୍ତି।

ଗତକାଲି ରାତିରେ ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ବିମାନ କୋଝିକୋଡ ଠାରେ କ୍ରାଶ ଲ୍ୟାଣ୍ଡିଂ କରିଥିଲା। ଏଥିରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୨୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିମାନଟି ଦୁର୍ଘଟଣାଗ୍ରସ୍ତ ବେଳେ ଏହା ମଧ୍ୟରେ ୧୯୦ ଜଣ ଲୋକ ଥିଲେ।

Leave a Reply

Your email address will not be published. Required fields are marked *