ଭୋଜପୁରୀ ଅଭିନେତ୍ରୀଙ୍କ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ ୧୦ ମିନିଟ୍‌ର ଫେସବୁକ୍ ଲାଇଭ୍

ମୁମ୍ବାଇ:-ଭୋଜପୁରୀ ଅଭିନେତ୍ରୀ ଅନୁପମା ପାଠକ ମୁମ୍ବାଇ ଦହିସର ସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ୪୦ ବର୍ଷ ବୟସ୍କା ଏହି ଅଭିନେତ୍ରୀ ଅଗଷ୍ଟ ୨ ତାରିଖରେ ସେ ଆତ୍ମହତ୍ୟା କରିଥିଲେ । ଏଭଳି ପଦକ୍ଷେପ ନେବା ପୂର୍ବରୁ ଅନୁପମା ଫେସବୁକରେ ନିଜର ସ୍ଥିତି ସଂପର୍କରେ ଜଣାଇ ୧୦ ମିନିଟର ଭିଡିଓ ପୋଷ୍ଟ କରିଥିଲେ । ସେହି ଭିଡିଓଟିରେ ସେ ନିଜର ଦୁଃଖ ଜଣାଇଥିଲେ । ଭିଡିଓରେ ସେ ଲୋକଙ୍କୁ କାହାକୁ ବିଶ୍ବାସ ନକରିବାକୁ କହିଥିଲେ ।

ଆତ୍ମହତ୍ୟା କରିବା ପୂର୍ବରୁ ସେ କହିଥିଲେ ଯେ କାହା ଉପରେ ବିଶ୍ବାସ କରିବା ଉଚିତ୍ ନୁହେଁ । ସେ କହିଥିଲେ ଲୋକମାନେ ସଚ୍ଚୋଟ ଲୋକଙ୍କ ଫାଇଦା ସବୁବେଳେ ଉଠାଇଥାନ୍ତି ।

ଅନୁପମା ତାଙ୍କ ଫେସବୁକ୍ ଲାଇଭ୍ ଭିଡିଓରେ କହିଛନ୍ତି, ‘ଯଦି ତୁମେ କାହାକୁ ବିଶ୍ବାସ କରାଅ ଯେ ତୁମେ କିଛି ସମସ୍ୟାର ସମ୍ମୁଖୀନ ହେଉଛ ଏବଂ ଆତ୍ମହତ୍ୟା କରିବା ପରି ପରିସ୍ଥିତିର ସମ୍ମୁଖୀନ ହେଉଛ, ତେବେ ସେହି ବ୍ୟକ୍ତି ସେ ଯେତେ ଭଲ ବନ୍ଧୁ ହୁଅନ୍ତୁ ନା କାହିଁକି, ସେ ତୁରନ୍ତ ତୁମ ସମସ୍ୟାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିବେ । ଯାହା ଦ୍ବାରା ତୁମେ ମରିବା ପରେ ସେମାନେ ଅସୁବିଧାରେ ପଡନ୍ତି ନାହିଁ । ଏଥିସହ ଲୋକମାନେ ତୁମକୁ ପରିହାସ କରିବେ ଏବଂ ଅନ୍ୟମାନଙ୍କ ସାମ୍ନାରେ ତୁମକୁ ଅପମାନିତ କରିବେ। କାହାକୁ ତୁମର ସାଙ୍ଗ ବୋଲି ଭାବ ନାହିଁ ।

ଅଭିନେତ୍ରୀ ଭିଡିଓରେ କହିଛନ୍ତି ଯେ, ମୁଁ ମୋ ଜୀବନରେ ଶିଖିଛି ଯେ ଲୋକମାନେ ଅତ୍ୟଧିକ ସ୍ବାର୍ଥପର ଏବଂ ଅନ୍ୟମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ।

ଭୋଜପୁରୀ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଅଭିନେତ୍ରୀ ଅନୁପମା ବିହାରର ପୁର୍ନିଆ ଜିଲ୍ଲାର ବାସିନ୍ଦା । ସେ କାମ ଉଦ୍ଦେଶ୍ୟରେ ମୁମ୍ବାଇରେ ରହୁଥିଲେ । ଏହି ମାମଲାରେ ପୋଲିସ ନିକଟରେ ଅଭିଯୋଗ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *