କୋଭିଡ୍ ଯୋଦ୍ଧାଙ୍କ ପାଇଁ ୧ ମିନିଟ ନୀରବ ପ୍ରାର୍ଥନା, ରାଜ୍ୟବାସୀଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:–ମୁଁ ଜଣେ ଓଡିଶାବାସୀ ହିସାବରେ ଶପଥ କରୁଛି, କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବି । ସେମାନଙ୍କ ତ୍ୟାଗ, ନିଷ୍ଠା , ବଳିଦାନକୁ ବ୍ୟର୍ଥ ହେବାକୁ ଦେବିନି । କରୋନା ବିରୋଧ ଲଢେଇରେ ମୁଁ ଜିତିବି, ମୋ ଓଡିଶା ଜିତିବ ଓ ମାନବଜାତି ବି ଜିତିବ ।  ଆଜି ଏମିତି ଶପଥ ନେଇଛନ୍ତି ଓଡିଶାବାସୀ ।  କୋଭିଡ ଯୋଦ୍ଧାଙ୍କ ନିଷ୍ଠାପର ସେବା ଓ ବଳିଦାନକୁ ସମ୍ମାନ ଜଣାଇ ସେମାନଙ୍କ ମନୋବଳ ବଢାଇବାକୁ ଏହି ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଶପଥ ନେବା ପୂର୍ବରୁ ରାଜ୍ୟବାସୀ ଏକ ମିନିଟ ନିରବ ପ୍ରାର୍ଥନା କରିଛନ୍ତି । ଆଜି ସଂଧ୍ୟା ୬ରେ ଯିଏ ଯେଉଁଠି ଥିଲେ ସେମାନେ ସେଇଠି ଠିଆ ହୋଇ ନିରବ ପ୍ରାର୍ଥନା କରିଛନ୍ତି ଏବଂ କୋଭିଡ ଲଢେଇରେ ନିଜକୁ ସାମିଲ କରିବାକୁ ଶପଥ ନେଇଛନ୍ତି ।

କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ବାବଦରେ ଗତକାଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହିତ କୋଭିଡ ଯୁଦ୍ଧରେ ନିଜେ ତଥା ନିଜ ପରିବାରର ସୁରକ୍ଷା ପାଇଁ କୋଭିଡ ନିୟମ କଡାକଡି ପାଳନ କରିବାକୁ ଏହା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେଥିପାଇଁ ଆଜି ବିଭିନ୍ନ ବ୍ଲକ କାର୍ଯ୍ୟାଳୟରୁ ଆରମ୍ଭ କରି ଲୋକସେବା ଭବନ, ଗାଁରୁ ସହର ସବୁଠି ଲୋକମାନେ ନିରବ ପ୍ରାର୍ଥନା କରିଥିଲେ । ପୋଲିସ ମୁଖ୍ୟାଳୟ ଓ ବିଭିନ୍ନ ବିଭାଗର ଅଧିକାରୀ ଅଫିସ ବାରଣ୍ଡା ଏବଂ ଅଫିସ ସାମ୍ନା ପଡିଆରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ସେହିପରି ଟ୍ରାଫିକ୍‌ ୨ ମିନିଟ ପାଇଁ ଅଟକି ରହିଥିଲା।  କଳିଙ୍ଗ ଷ୍ଟାଡିୟମରେ ସମସ୍ତ କ୍ରୀଡା ବିତ୍, ସ୍ପୋର୍ଟସ ହଷ୍ଟେଲ ଛାତ୍ରଛାତ୍ରୀ , ବିଭାଗୀୟ ମନ୍ତ୍ରୀ, ସଚିବ ଶପଥ ନେଇଥିଲେ । କୋଭିଡ ନିୟମ ପାଳନ ସହ ମୁହଁରେ ମାସ୍କ ଓ ସାମାଜିକ ଦୂରତା ରକ୍ଷା କରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *