୫ ଘଣ୍ଟା ଧରି ଆମ୍ବୁଲାନ୍ସକୁ ଅପେକ୍ଷା ପରେ ଚାଲିଗଲା ବୃଦ୍ଧାଙ୍କ ଜୀବନ
ବୁଗୁଡ଼ା:- ଘଣ୍ଟା ଘଣ୍ଟା ଧରି ଡାକ୍ତରଖାନା ବାରଣ୍ଡାରେ ପଡ଼ିଲେ ରୋଗୀ । ସମୟ ଯେତିକି ବିତୁଥାଏ ସ୍ୱାସ୍ଥ୍ୟବସ୍ଥା ସେତିକି ବିଗିଡ଼ିବାରେ ଲାଗିଥାଏ । ବାରମ୍ବାର ପରିବାର ଲୋକ ଆମ୍ବୁଲାନ୍ସ ପାଇଁ ଗୁହାରି କରିଥିଲେ ମଧ୍ୟ ଗାଡ଼ି ଆସିଲା ନାହିଁ । ଶେଷରେ ୫ ଘଣ୍ଟା ପରେ ରୋଗୀଙ୍କ ଜୀବନ ଚାଲିଗଲା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଆଜି ବୁଗୁଡ଼ା ଡାକ୍ତରଖାନାଠାରେ । ମୃତକ ବୁଗୁଡା କେନାଲ୍ ସାହିର ନିରଞ୍ଜନ ବେହେରା (୫୫) ।
ନିରଞ୍ଜନ ପୁଅଙ୍କ ଅଭିଯୋଗ ଅନୁଯାୟୀ, ଦିନ ୧୨ଟା । ଶ୍ୱାସ ରୋଗରେ ପୀଡ଼ିତ ଥିବାରୁ ବାପାଙ୍କୁ ବୁଗୁଡ଼ା ଡାକ୍ତରଖାନାକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତୁରନ୍ତ ବ୍ରହ୍ମପୁର ନେବାକୁ କହିଥିଲେ । ଏନେଇ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଥରେ ନୁହେଁ ବାରମ୍ବାର ଫୋନ୍ କରିଥିଲେ । ବୁଗୁଡ଼ା, ପୋଲସରା, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା ସମସ୍ତ ମେଡିକାଲରେ ଆମ୍ବୁଲାନ୍ସ ଅନ୍ୟତ୍ର ଚାଲି ଯାଇଥିବା ଯୋଗୁଁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରୋଗୀ ଜଣଙ୍କ ଡାକ୍ତରଖାନା ବାରଣ୍ଡାରେ ପଡ଼ି ରହିଥିଲେ । ଶେଷରେ ନିରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ଅପରପକ୍ଷେ ଲକ୍ଡାଉନ୍ ଯୋଗୁଁ ଗାଡ଼ି ଭଡ଼ା ନେଉନାହାନ୍ତି । ଏପରିକି କରୋନା ଭୟରେ ଟାକ୍ସି ବାଲା ମଧ୍ୟ ରୋକ୍ଠକ୍ ମନା କରୁଛନ୍ତି । କରୋନା ଯୋଗୁଁ ମାନବିକତା ହଜିଯାଇଥିବାବେଳେ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି ।