ଆସନ୍ତା ୫ ତାରିଖରୁ ଖୋଲିବ ଜିମ୍ ଓ ଯୋଗ କେନ୍ଦ୍ର

ଭୁବନେଶ୍ବର:-ଯୋଗ ପ୍ରତିଷ୍ଠାନ ଓ ଜିମ୍ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଅନଲକ ୩.୦ରେ ଆସନ୍ତା ୫ତାରିଖରୁ କେତେକ କଟକଣା ଭିତରେ ଯୋଗକେନ୍ଦ୍ର ଓ ବ୍ୟାୟାମଶାଳା ଖୋଲିବାକୁ ଅନୁମତି ଦିଆଯାଇଛି । କୋଭିଡ ୧୯ର ସଂକ୍ରମଣ ରୋକିବା ଦୃଷ୍ଟିରୁ ସଦସ୍ୟ, କର୍ମଚାରୀ ଏବଂ ଭ୍ରମଣକାରୀ ସିଧାସଳଖ କେହି କାହା ସଂସ୍ପର୍ଶରେ ଆସିବେ ନାହିଁ । ସାମାଜିକ ଦୂରତା ଏବଂ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ଭିତରେ ଯୋଗ କେନ୍ଦ୍ର ଓ ଜିମ୍ ଚାଲିପାରିବ । ପରସ୍ପର ଭିତରେ ଅତି କମରେ ୬ଫୁଟ ଦୂରତା ବଜାୟ ରହିବ । ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି । ଏବଂ ବ୍ୟାୟାମଶାଳାର ସମସ୍ତ ସାମଗ୍ରୀ ବିଶୋଧନ ହେବା ସୁନିଶ୍ଚିତ କରାଯିବ ।୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ସାମିଲ ହେବାକୁ ବାରଣ କରାଯାଇଛି । ସମସ୍ତ ଜିମ୍ ସାମଗ୍ରୀ ନିକଟରେ ହାଣ୍ଡ ସାନିଟାଇଜର ରହିବା ବାଧ୍ୟତାମୂଳକ । ଜିମ୍ ବ୍ୟବହାର କରିବା ପୂର୍ବରୁ ସମସ୍ତ ବ୍ୟକ୍ତି ହାତ ସାନିଟାଇଜ୍ କରିବା ସୁନିଶ୍ଚିତ କରିବେ ସଂସ୍ଥା ପରିଚାଳକ । ଯୋଗ କେନ୍ଦ୍ରରେ ସର୍ବସାଧାରଣ ବ୍ୟବହାର ହେଉଥିବା ମ୍ୟାଟ୍ ବ୍ୟବହାର ହେବ ନାହିଁ । ସଦସ୍ୟମାନେ ନିଜ ନିଜ ମ୍ୟାଟ୍ ଆଣିବେ । ନିୟମିତ ବ୍ୟବଧାନରେ ଜିମାନସିଅମ୍ ଓ ଯୋଗ କେନ୍ଦ୍ରକୁ ବିଶୋଦନ କରାଯିବ ।

Leave a Reply

Your email address will not be published. Required fields are marked *