ପୋଲିସକୁ ମାଡ ମାରି ଲହୁଲୁହାଣ କରିଥିବା ଡାକ୍ତର ଗିରଫ,

କେନ୍ଦ୍ରାପଡା :- ପୋଲିସକୁ ମାଡ ମାରି ଗିରଫ ହେଲେ ଡାକ୍ତର । କେନ୍ଦ୍ରାପଡା ସହରରେ ଥିବା ଏକ ଘରୋଇ ନର୍ସିଂହୋମର ଦୁଇଜଣ ଡାକ୍ତର ଗିରଫ ହୋଇଥିବା ଜଣାପଡିଛି । ଗିରଫ ଡାକ୍ତର ହେଉଛନ୍ତି ଦେବାଶିଷ ସାହୁ ଓ ଶିବାଶିଷ ସାହୁ । ଉଭୟଙ୍କର ୬ଜଣ ସହଯୋଗୀଙ୍କୁ ମଧ୍ୟ ଟାଉନ ଥାନା ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ୱେବ୍ ମିଡିଆର ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ କୌଣସି ଘଟଣାକୁ ନେଇ ସାମ୍ବାଦିକ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ସମ୍ପୃକ୍ତ ସାମ୍ବାଦିକ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଟାଉନ୍ ପୋଲିସ ନର୍ସିଂହୋମରେ ପହଁଞ୍ଚିବା ପରେ ଦୁଇ ଡାକ୍ତର ଏବଂ ତାଙ୍କର ସହଯୋଗୀମାନେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲେ ।

ଘଟଣାରେ ଦୁଇଜଣ ପୋଲିସ ଓ ସାମ୍ବାଦିକ ଆହତ ହୋଇଥିବା ଜଣାପଡିଛି । ଘଟଣାରେ ଆହତ ସାମ୍ବାଦିକ ଏବଂ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ଏତଲା ଦିଆଯାଇଛି । ଟାଉନ ପୋଲିସ କେସ୍ ନମ୍ବର ୧୨୬/୨୦,୧୨୭/୨୦ରେ ମାମଲା ରୁଜୁ କରିଛି ।

ଅନ୍ୟପଟେ ଦୁଇ ଡାକ୍ତରଙ୍କ ଗିରଫ ପ୍ରତିବାଦରେ ଆନ୍ଦୋଳନକୁ ବାହାରିଲା ଓମସା । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବନ୍ଦ କଲା ଡାକ୍ତରୀ ସଂଘ । ମେଡିକାଲରେ ଜରୁରୀସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ସେବା ବନ୍ଦ କରାଯାଇଥିବା ଓମସା କେନ୍ଦ୍ରାପଡା ଜିଲ୍ଲା ଶାଖା ସମ୍ପାଦକ ଡାକ୍ତର ସଞ୍ଜିତ୍ କୁମାର ସେଠୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହାର ପ୍ରତିବାଦରେ କୋର୍ଟ ଚାଲାଣ ପୂର୍ବରୁ ଗିରଫ ଡାକ୍ତର ଏବଂ ତାଙ୍କ ସହଯୋଗୀଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରିବାକୁ ମନା କରି ଦେଇଛନ୍ତି ଡାକ୍ତରମାନେ ।

Leave a Reply

Your email address will not be published. Required fields are marked *