ଟଳିପାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ, ସୂଚନା ଦେଲେ ଟ୍ରମ୍ପ

ୱାସିଂଟନ:  କରୋନା ଭାଇରସର ବଢୁଥିବା ପ୍ରକୋପ ଯୋଗୁ ନଭେମ୍ବର ମାସରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଟଳିପାରେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଏହି ସୂଚନା ଦେଇଛନ୍ତି। ନିର୍ବାଚନ ଲାଗି ଏବେ ଦେଶରେ ପୋଷ୍ଟାଲ ଭୋଟିଂ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏପରି ମତଦାନରେ ହେରଫେର ହେବାର ଅନେକ ଆଶଂକା ରହିଛି। ଏହା ଛଡା ଦେଶର ଏପରି ପରିସ୍ଥିତିରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଟ୍ରମ୍ପ ସଫା ସଫା କହିଦେଇଛନ୍ତି।ଏନେଇ ଟ୍ରମ୍ପ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ବୈଶ୍ୱିକ ପୋଷ୍ଟାଲ ଭୋଟିଂ ( ଅନୁପସ୍ଥିତ ଭୋଟ ଦାନ ନୁହେଁ, ଯାହା ଖୁବ୍ ଭଲ) ହେଲେ ଏହା ୨୦୨୦ ନିର୍ବାଚନ ଇତିହାସର ସବୁଠୁ ତ୍ରୁଟିପୂର୍ଣ୍ଣ ଓ ଜାଲିଆତି  ମତଦାନ ହେବ। ଯାହାକି ଆମେରିକା ଲାଗି ଅତ୍ୟନ୍ତ ଲଜ୍ଜାଜନକ ହେବ। ଏଣୁ ଲୋକେ ସୁସ୍ଥ ହୋଇ ସୁରକ୍ଷିତ ଭାବେ ମତଦାନ ଲାଗି ସକ୍ଷମ ହେବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିପାରିବା କି ବୋଲି ଟ୍ରମ୍ପ ତାଙ୍କ ପୋଷ୍ଟରେ ଦେଶବାସୀଙ୍କୁ ପ୍ରଶ୍ନ କରିଛନ୍ତି। ଆମେରିକାରେ କରୋନା ଭାଇରସ ମହାମାରୀ ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ପ୍ରାୟ ଦେଢ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୪ଲକ୍ଷ ୨୬ ହଜାର ଲୋକେ ସଂକ୍ରମିତ ଅଛନ୍ତି। କରୋନାରେ ଗୁରୁତର ପ୍ରଭାବିତ ଦେଶଙ୍କ ମଧ୍ୟରେ ଆମେରିକା ସର୍ବାଗ୍ରେ ରହିଛି। ଆମେରିକା ଏବେ କରୋନାକୁ ନେଇ ଅତ୍ୟନ୍ତ ସମ୍ବେଦନଶୀଳ ଥିବା ସଂକ୍ରାମକ ରୋଗ ବିଶେଷଜ୍ଞମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *