ଦେଶରେ ମହାବଳ ବାଘ ସଂଖ୍ୟା ବଢ଼ିଲା, ହେଲେ ଓଡ଼ିଶାରେ ଯେତିକି ଥିଲା, ସେତିକି ଅଛି
ଭୁବନେଶ୍ୱର:-ଦେଶରେ ମହାବଳ ବାଘ ସଂଖ୍ୟା ବଢ଼ିଲା । ହେଲେ ଓଡ଼ିଶାରେ ବାଘ ଯେତିକି ଥିଲା, ସେତିକି ଅଛି । ୪ ବର୍ଷ ଭିତରେ ମହାବଳ ବାଘ ବଂଶରେ ଗୋଟିଏ ବି ନୂଆ ସଂଖ୍ୟା ଯୋଡ଼ି ପାରିନି ଓଡ଼ିଶା । ୨୦୧୪ରେ ଓଡ଼ିଶାରେ ବାଘ ସଂଖ୍ୟା ୨୮ ଥିଲା । ୨୦୧୮ ସର୍ଭେରେ ବି ସେତିକି ରହିଛି । କେନ୍ଦ୍ର ସରକାର ଆଜି ୨୦୧୮ ବାଘ ଗଣନା ରିପୋର୍ଟ ଜାରି କରିବା ପରେ ଓଡ଼ିଶାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ପ୍ରେମୀ । ଅପରପକ୍ଷରେ କେନ୍ଦ୍ରର ବାଘ ଗଣନା ପଦ୍ଧତି ନେଇ କେତେକ ବିଶେଷଜ୍ଞ ଅଙ୍ଗୁଳି ମଧ୍ୟ ଉଠାଇଛନ୍ତି ।
କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଆଜି ୨୦୧୮ ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିଛି । ଏହି ରିପୋର୍ଟ କହୁଛି, ଦେଶରେ ବାଘ ସଂଖ୍ୟା ବଢ଼ିଛି । ହେଲେ ଓଡ଼ିଶା ବାଘ ବଂଶ ବିସ୍ତାର କରିବାରେ ପଛରେ ରହିଯାଇଛି । କ୍ୟାମେରା ଟ୍ରାପ୍ରେ ବାଘଗୁଡ଼ିକୁ ଗଣନା କରାଯାଇଛି । ୨୦୦୬ରେ ଓଡ଼ିଶାରେ ବାଘ ସଂଖ୍ୟା ଥିଲା ୪୫ । ୨୦୧୦ରେ ଏହା ଖସି ଆସିଲା ୩୨କୁ । ୨୦୧୪ରେ ଆହୁରି କମି ୨୮ ହେଲା । ଆଶା ଥିଲା, ଏହା ପରେ ଓଡ଼ିଶା ଜଙ୍ଗଲ ବିଭାଗ ଚେତିବ । ବାଘ ବଂଶ ବିସ୍ତାର କରାଇବ । ହେଲେ ୨୦୧୮ ଗଣନାରେ ବାଘ ସଂଖ୍ୟା ଅପରିବର୍ତ୍ତିତ ରହିଛି ।
ଅପରପକ୍ଷରେ ପଡ଼ୋଶୀ ମଧ୍ୟପ୍ରଦେଶରେ ବାଘ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଇଛି । ୨୦୦୬ରେ ମଧ୍ୟପ୍ରଦେଶରେ ୩୦୦ ବାଘ ଥିଲେ । କ୍ରମଶଃ ବଢ଼ି ୨୦୧୮ରେ ୫୨୬ ବାଘ ହେଲା । କେରଳରେ ବି ବାଘ ସଂଖ୍ୟା ବହୁ ମାତ୍ରାରେ ବଢ଼ି ୧୯୦ରେ ପହଞ୍ଚିଛି । ଓଡ଼ିଶାରେ ବାଘ ସଂଖ୍ୟା ଅନୁଧ୍ୟାନବେଳେ କେନ୍ଦ୍ରୀୟ ଟିମ୍ ଲକ୍ଷ୍ୟ କରିଛି ମୁଖ୍ୟତଃ ଶିମିଳିପାଳରେ ହିଁ ବାଘ ଅଛନ୍ତି । ଏହାବାଦ୍ ସାତକୋଶିଆ, ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ବି ଅଳ୍ପ କେତୋଟି ବାଘ ରହିଛି । ପିସିସିଏଫ୍ (ବନ୍ୟପ୍ରାଣୀ) ଏଚ୍.ଏସ୍. ଉପାଧ୍ୟାୟ କହିଛନ୍ତି, ଶିମିଳିପାଳରେ ପ୍ରାୟ ୨୫ଟି ବାଘ ଥିବା ଅନୁମାନ କରାଯାଉଛି । ସାତକୋଶିଆରେ ଗୋଟିଏ ବାଘ ଥିବା ଲକ୍ଷ୍ୟ କରାଯାଇଥିଲା । ଏହାବାଦ୍ ନବରଙ୍ଗପୁର ଓ ରାୟଗଡ଼ାରେ ବାଘ ନଜରକୁ ଆସିଥିଲେ ।
ସେ କହିଛନ୍ତି, ବାଘ ବଂଶ ବୃଦ୍ଧି କରାଇବା ନେଇ ଅନେକ କିଛି କରିବାକୁ ପଡ଼ିଥାଏ । ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଥିଲା । ମାତ୍ର କେତେକ କାରଣ ଯୋଗୁ ଏହା ସଫଳ ହୋଇପାରିଲା ନାହିଁ । ଏହା ସଫଳ ହୋଇଥିଲେ ଓଡ଼ିଶାରେ ବାଘ ବଂଶ ବିସ୍ତାର କରିଥାନ୍ତା । କାରଣ ଶିମିଳିପାଳ ଅପେକ୍ଷା ସାତକୋଶିଆରେ ବାଘ କମ୍ ଥିବାରୁ ଏଠାରେ ବାଘର ନୂଆ ବସତି ଓ ବଂଶ ବିସ୍ତାର ପାଇଁ ସହଜ ହେବ । ବନ୍ୟପ୍ରାଣୀ ବିଶେଷଜ୍ଞ ଲାଲା ଏ.କେ.ସିଂହ କହିଛନ୍ତି, ବାଘ ଗଣନା ଏକ ବ୍ୟାପକ ପ୍ରକ୍ରିୟା । ଏଥିପାଇଁ ଜଙ୍ଗଲରେ ଆହୁରି ଅଧିକ ସଂଖ୍ୟାରେ କ୍ୟାମେରା ଲଗାଇବାକୁ ହେବ । କେବଳ କ୍ୟାମେରା ପଦ୍ଧତି ନୁହେଁ, ପୂର୍ବରୁ ଚାଲି ଆସିଥିବା ପାଦ ଚିହ୍ନ ପଦ୍ଧତିକୁ ଆପଣାଇବା ଆବଶ୍ୟକ । ଏହାଦ୍ୱାରା ବାଘ ସଂଖ୍ୟା ଗଣନାର ଠିକ୍ ତଥ୍ୟ ମିଳିପାରିବ । ବାଘ ବଂଶ ବିସ୍ତାର କରିବାକୁ ହେଲେ ଜଙ୍ଗଲର ଘନତ୍ୱ ବଢ଼ାଇବାକୁ ହେବ । ବାଘ ଥିବା ଜଙ୍ଗଲରୁ ଓ ଜଙ୍ଗଲ ପାଖରୁ ଜନବସତି ହଟାଇବାକୁ ହେବ । ଏ ଦିଗରେ ଗୁରୁତ୍ୱ ଦେବାକୁ ପଡ଼ିବ ।