କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:-ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଅଣକୋଭିଡ୍‌ ରୋଗୀମାନେ ବିଭିନ୍ନ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଉନଥିବା ଅଭିଯୋଗ ଆସିବାପରେ ସାଧାରଣ ରୋଗୀଙ୍କ ଚିକିତ୍ସାରେ ଯେଭଳି ସାମାନ୍ୟ ତମ ଅବହେଳା ନୁହୁଏ ସେଥିପ୍ରତି ଧ୍ୟାନ ଦେବାକୁ ତାଗିତ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥି ସହ ରାଜ୍ୟରେ ଆମ୍ବୁଲାନ୍‌ସ୍‌ ନେଟଓ୍ବର୍କକୁ ସୁଦୃଢ଼ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିଭଳି ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟର ଗୁଡ଼ିକରେ ଚିକିତ୍ସିତ ହେଉଥିବା ରୋଗୀମାନେ ଯେଭଳି ଗୁଣାତ୍ମକ ସେବା ପାଇପାରିବେ ସେଥିପାଇଁ ସେମାନଙ୍କ ଠାରୁ ଫିଡ୍‌ବ୍ୟାକ୍‌ ସଂଗ୍ରହ କରି ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ କୋଭିଡ୍‌ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ଆଜି ଅନୁଗୋଳ, ଢ଼େଙ୍କାନାଳ ବେଦଗଡ଼, ମୟୁରଭଂଜ, ବଲାଙ୍ଗିର, ବରଗଡ଼ ଓ ନୂଆପଡ଼ା ଭଳି ବିଭିନ୍ନ ଜିଲ୍ଲାର ପରିସ୍ଥିତି ଓ କୋଭିଡ୍‌ ପରିଚାଳନା ସମ୍ପର୍କରେ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଜିଲ୍ଲା ଗୁଡ଼ିକରେ କୋଭିଡ୍‌ ପରିଚାଳନାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ପର୍ଯ୍ୟବେକ୍ଷକମାନେ କେତେକ ପ୍ରସ୍ତାବ ମଧ୍ୟ ରଖିଥିଲେ । ଏହି ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *