ଝିଅର ଅନ୍‌ଲାଇନ୍‌ ପାଠ ପାଇଁ କାନଫୁଲ ବିକିଲେ ମାଆ

କଟକ:– ନିଜ ପିଲାମାନଙ୍କୁ ଅନ୍‌ଲାଇନ୍‌ ପାଠ ପଢ଼ାଇବା ପାଇଁ ଜଣେ ମା’ ତା’ର ଗହଣା ବିକିବାକୁ ମଧ୍ୟ ପଛାଇନାହିଁ । ପିଲାମାନଙ୍କୁ ଇ-ଶିକ୍ଷା ଯୋଗାଇବା ପାଇଁ ନିଜେ ପିନ୍ଧିଥିବା କାନଫୁଲକୁ ବିକ୍ରି କରିଦେଇଥିବା ଦେଖିବାକୁ ମିଳିଛି ସାଲେପୁରରେ । କରୋନା ମହାମାରୀ ସମଗ୍ର ବିଶ୍ୱକୁ ଏବେ ଗ୍ରାସ କରିଥିବା ବେଳେ ଏଥିରେ ସବୁଠାରୁ ଅଧତ୍କ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ । କରୋନା ମହାମାରୀ ପାଇଁ ସ୍କୁଲ କଲେଜ ସମେତ କୋଚିଂ ସେଣ୍ଟର, ଘରୋଇ ଟ୍ୟୁସନ୍‌ ମଧ୍ୟ ବନ୍ଦ ରହିଛି । ଫଳରେ ପିଲାମାନଙ୍କୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ,କଲେଜରେ ଅନ୍‌ଲାଇନ୍‌ ଶିକ୍ଷାଦାନ ଦିଆଯାଉଛି । କିନ୍ତୁ ଏହି ବ୍ୟବସ୍ଥାରେ ପାଠ ପଢ଼ିବା ପାଇଁ ସମସ୍ତ ବିଦାର୍ଥୀଙ୍କ ପାଖରେ ମୋବାଇଲ୍‌ ବା ଲାପ୍‌ଟପ୍‌ ବା କମ୍ପ୍ୟୁଟର ଉପଲବ୍ଧ ନାହିଁ । ତେଣୁ ଅନେକ ସ୍ଥାନରେ ବାପା-ମା’ ପିଲାମାନଙ୍କର ଭବିଷ୍ୟତକୁ ଆଖିଆଗରେ ରଖି କିଏ ଗହଣା ବିକି ମୋବାଇଲ୍‌ କିଣୁଛି ତ କିଏ ହାତ ଉଧାର କରି ମୋବାଇଲ୍‌ କିଣୁଥିବା ଦେଖିବାକୁ ମିଳିଛି ।

ଏହାର ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବଟେଶ୍ୱର ଗ୍ରାମରେ । ଏହି ଗ୍ରାମର ଗଗନ ବିହାରୀ ଭୋଇ ଜଣେ ରାଜମିସ୍ତ୍ରୀ । ପରିବାରରେ ତାଙ୍କ ପତ୍ନୀ, ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ଝିଅ ଏବଂ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଗୋଟିଏ ପୁଅ ଅଛନ୍ତି । ଏହି ଚାରି ପ୍ରାଣୀ କୁଟୁମ୍ୱକୁ ପୋଷିବା ତାଙ୍କ ସ୍ପଳ୍ପ ରୋଜଗାରରେ କଷ୍ଟସାଧ୍ୟ ହେଉଥିବା ବେଳେ କରୋନା ମହାମାରୀ ତାଙ୍କ ପାଇଁ ବୋଝ ଉପରେ ଲଳିତବିଡ଼ା ସାଜିଛି । ଇତି ମଧ୍ୟରେ କରୋନା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ପାଇଁ ଏବେ ଅନ୍‌ଲାଇନ୍‌ ପାଠପଢ଼ା ଚାଲିଛି । କିନ୍ତୁ ଗଗନଙ୍କ ଝିଅ ଅର୍ଚ୍ଚିତା ଭୋଇ ଅଷ୍ଟମ ଶ୍ରେଣୀରେ ସ୍ଥାନୀୟ ରୋଧପୁର ସରକାରୀ ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ସେ ଜଣେ ମେଧାବୀ ଛାତ୍ରୀ ଅଟନ୍ତି । ସେହିପରି ପୁଅ ବିଶ୍ୱରଂଜନ ସାଲେପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଛନ୍ତି ।

ଉଭୟ ପିଲାଙ୍କ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହୋଇଥିବାରୁ ଏଥିପାଇଁ ଗଗନଙ୍କ ପାଖରେ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ସେଟ୍‌ ନାହିଁ । ତେଣୁ ଉଭୟ ପିଲାମାନଙ୍କ ପାଠପଢ଼ାରେ ବାଧା ଉପୁଜିବାରୁ ଶତଚେଷ୍ଟା କଲେ ମଧ୍ୟ ମୋବାଇଲ୍‌ ଦେଇନପାରିବାରୁ ତାଙ୍କର ପତ୍ନୀ ରୀତା ଭୋଇ ନିଜେ ପିନ୍ଧିଥିବା କାନ ଫୁଲକୁ ବିକ୍ରି କରି ଏକ ମୋବାଇଲ୍‌ ସେଟ୍‌ କିଣିବାକୁ ବାଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *