ଚାନ୍ଦୁଆ କାରିଗରକୁ କନ୍ଦାଇଲା କରୋନା
ଭୁବନେଶ୍ୱର:-ଭାରତ ନୁହେଁ ଲଣ୍ଡନଠୁ ଆମେରିକା ପର୍ଯ୍ୟନ୍ତ ସବୁଠି ପିପିଲି ଚାନ୍ଦୁଆ ଆଦର ଲାଭ କରୁଥିଲା । ହେଲେ ଲକ୍ଡାଉନ୍ କାରିଗରଙ୍କ ହାତରେ ବେଡ଼ି ପକାଇଦେଇଛି । ତା’ ସହ ତାଲା ଠୁଙ୍କିଛି ଚାନ୍ଦୁଆ ଶିଳ୍ପରେ ।ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆର କାରିଗରୀ କେଉଁଠି ନାହିଁ । ଏହାର ପ୍ରସ୍ତୁତି ଅତି ସୂକ୍ଷ୍ମ ଭାବେ ହୋଇଥାଏ । କପଡ଼ାରେ କାରିଗରମାନେ ସୂତା ଛୁଞ୍ଚିରେ ସେମାନଙ୍କ ହାତର ଯାଦୁ ଦେଖାନ୍ତି । ସୂତା, ବହୁତ ପ୍ରକାର ଲେସ୍, କାଚ, କାଚର ମୁଦିଆ, ଚୁମ୍କି, ଘୁଙ୍ଗୁର, ଝରା ଭଳି ବିଭିନ୍ନ ସାମଗ୍ରୀ ବ୍ୟବହାର କରି ରଙ୍ଗବେରଙ୍ଗର କପଡ଼ାକୁ ନୂଆ ଜୀବନ ଦିଅନ୍ତି । କପଡାରେ ତିଆରି ହୋଇଥିବା କଳାକୃତିକୁ ଦେଖିଲେ ଆଖି ଝଲସି ଯାଏ । ପ୍ରତ୍ୟେକ ଚାନ୍ଦୁଆରେ ସ୍ୱତନ୍ତ୍ରତା ଥାଏ । କାନ୍ଥରେ ଲାଗୁଥିବା ଛୋଟ ଛୋଟ ଚାନ୍ଦୁଆଠୁ ଆରମ୍ଭ କରି ବଡ଼ ବଡ଼ ସଭାର ମଞ୍ଚ ହେଉକି ଯାତ୍ରା ପାର୍ଟି ମଞ୍ଚର ପାଶ୍ୱର୍ରେ ଲାଗୁଥିବା ଚାନ୍ଦୁଆକୁ କାରିଗରମାନେ ତିଆରି କରନ୍ତି । ଗୋଟିଏ ଗୋଟିଏ ଚାନ୍ଦୁଆ ତିଆରି କରିବାକୁ ମାସ ମାସ ଲାଗିଯାଏ । ଖାଲି ଚାନ୍ଦୁଆ ନୁହେଁ, ଏଭଳି ଡିଜାଇନ୍ରେ ଲ୍ୟାମ୍ପ୍ ସେଟ୍, ବେଡ୍ କଭର, ବ୍ୟାଗ୍, ଲେଟର ବକ୍ସ, ଗାର୍ଡେନ୍ ଅମ୍ବ୍ରେଲା, ଚିଲେଡ୍ରେନ୍ ଅମ୍ବ୍ରେଲା ଆଜି ବିଭିନ୍ନ ସାମଗ୍ରୀ ତିଆରି ହୁଏ । ପ୍ରତ୍ୟେକର ସୁନ୍ଦରତା ପର୍ଯ୍ୟଟକମାନଙ୍କୁ ନିଜ ଆଡକୁ ଟାଣି ନିଏ ।
ପିପିଲି ଚାନ୍ଦୁଆ ବେପାର ମୁଖ୍ୟତଃ ପର୍ଯ୍ୟଟକଙ୍କ ଉପରେ ନିର୍ଭର କରିଥାଏ । ସବୁଠୁ ଭଲ ବେପାର ହୁଏ ରଥଯାତ୍ରା ବେଳକୁ । ସାରା ବିଶ୍ୱର କୋଣ ଅନୁକୋଣରୁ ଯିଏ ଆସନ୍ତି ପିପିଲିର ଚାନ୍ଦୁଆ ବା କପଡ଼ା ଆଉ ସୂତାର କଳା ନୈପୁଣକୁ କିଣିବାକୁ ଆଗଭର ହୁଅନ୍ତି । କଳା କାରିଗରୀକୁ ଦେଖି ମୁହଁ ଫେରାଇ ପାରନ୍ତିନି । ଚାନ୍ଦୁଆ ବି ପର୍ଯ୍ୟଟକଙ୍କୁ ଟାଣି ଆଣେ ପିପିଲି ଆଡ଼କୁ । ହେଲେ ବର୍ତ୍ତମାନ ସବୁ ବଦଳିଯାଇଛି । ଏ ଚିତ୍ର ଆଉ ଦେଖିବାକୁ ମିଳୁନି । କରୋନା ପରେ ନା ପର୍ଯ୍ୟଟକଙ୍କ ଗାଡି ଗଡୁଛି ପୁରୀ ଆଡେ, ନା ସ୍ଥାନୀୟ ଲୋକ କି ଓଡ଼ିଆ ଚାନ୍ଦୁଆ କିଣିବାକୁ ପିପିଲିରେ ପାଦ ପକାଉଛନ୍ତି । ଖାଲି ଯେ କାରିଗରଙ୍କ ପେଟ ପାଟଣା ଅଟକ ଅଛି ସେକଥା ନୁହେଁ । ଯେଉଁ ପିପିଲି ହସ୍ତକଳା ଯାଇ ପହଞ୍ଚୁଥିଲା ଦିଲ୍ଲୀ ଦରବାରଠୁ ଆରମ୍ଭ କରି କୋଲକାତା, ବମ୍ବେ ଓ ଭାରତ ବାହାରେ । ଏମିତି ଦିନ ଆସିବ ଲାଗୁଛି ସେ ଆଉ ସେଠି ପହଞ୍ଚିପାରିବନି । ବିଲୁପ୍ତ ହୋଇଯିବ ।ଲକ୍ଡାଉନ୍ ପୂର୍ବରୁ ସବୁକିଛି ଠିକ୍ଠାକ୍ ଥିଲା ।
ବିଶ୍ୱ ପ୍ରସିଦ୍ଧ ପିପିଲି ଚାନ୍ଦୁଆ କିଣିବାକୁ ପ୍ରତିଦିନ ପର୍ଯ୍ୟଟକଙ୍କ ଗାଡି ଆସି ପିପିଲି ବଜାରରେ ଥିବା ଦୋକାନରେ ଅଟକୁଥିଲା । ନିଜ ମନଛୁଆଁ ଚାନ୍ଦୁଆ ଓ ଅନ୍ୟାନ୍ୟ ହସ୍ତଶିଳ୍ପ ସାମଗ୍ରୀ ସବୁ କିଣି ନେଉଥିଲେ । ପର୍ଯ୍ୟଟକମାନେ ଥିଲେ କାରିଗର ଆଉ ବେପାରୀଙ୍କ ପାଇଁ ଭଗବାନ । ସେମାନଙ୍କ ଆଗମନରେ କାରିଗରଙ୍କ ହାତ ଚାଲୁଥିଲା । ସବୁଦିନ ଚାନ୍ଦୁଆ ସହ କତା କାମ, ଫଟୋ ପ୍ରିଣ୍ଟିଂ ଆଦି ଅନେକ କାମ ହେଉଥିଲା । ନୂଆ ନୂଆ ସାମଗ୍ରୀ ତିଆରି ହେଉଥିଲା । ଦୈନିକ ଏଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ସେମାନଙ୍କ ପରିବାର ଚଳୁଥିଲା । ଦୁଖ କଷ୍ଟରେ ସଂସାରର ଗାଡି ଆଗକୁ ମାଡି ଚାଲିଥିଲା । ହେଲେ କରୋନା ସବୁ ଓଲଟପାଲଟ କରିଦେଲା । ଚାନ୍ଦୁଆ କାରିଗର ଓ ଦୋକାନୀଙ୍କ ବ୍ୟତୀତ ବହୁ ପରିବାରର ପେଟକୁ ଲାତ ମାରିଛି । ସେମାନଙ୍କ ବେଉସା ଏକରକମ ଠପ୍ କରିଦେଇଛି । ବନ୍ଦ କରିଦେଇଛି ରୋଜଗାରର ପନ୍ଥା ।କରୋନା ପାଇଁ ପର୍ଯ୍ୟଟନସ୍ଥଳୀ ତ ବନ୍ଦ । ପର୍ଯ୍ୟଟକ ନାହାନ୍ତି । ସେମାନଙ୍କ ବେପାର ଆଉ ହେବ କେମିତି । ଯେଉଁଠି ପୂର୍ବରୁ ଚାନ୍ଦୁଆ ଓ ଅନ୍ୟ ହସ୍ତଶିଳ୍ପ ବେପାର ଦିନକୁ ପ୍ରାୟ ୫ ହଜାର ଟଙ୍କା ହେଉଥିଲା । ସେଠୁ ଏବେ ଦିନକୁ ଟଙ୍କା ଶହେ ବିକିବା ଦୋକାନୀଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଲକ୍ଡାଉନ୍ କୋହଳ ହେବା ପରଠୁ ସବୁଦିନ ସେମାନେ ଦୋକାନ ତ ଖୋଲା କରୁଛନ୍ତି କିନ୍ତୁ ବଇନି ହେଉନାହିଁ । କାଁ ଭାଁ କେଉଁଦିନ ଆଖାପାଖ ଅଞ୍ଚଳର ଲୋକଙ୍କ କିଛି ସାମଗ୍ରୀ ଦରକାର ହେଲେ କିଣୁଛନ୍ତି । ବାସ୍ ସେତିକି । ଆଉ ଟଙ୍କାଟିଏ ବି ବେପାର ନାହିଁ । ଆନୁମାନିକ ହିସାବ କଲେ, ପୂର୍ବରୁ ପିପିଲି ବଜାରରେ ଥିବା ପ୍ରତ୍ୟେକ ଦୋକାନୀଙ୍କ ଦିନକୁ ପାଖାପାଖି ୫ ହଜାର ଟଙ୍କା ବିକ୍ରି ହେଉଥିଲା । ସେହି ହିସାବରେ ମାସକୁ ଦେଢ଼ ଲକ୍ଷ ଟଙ୍କା । ଏବେ କିନ୍ତୁ ଗତ ୪ ମାସରେ ଟଙ୍କା ୧୦ ହଜାର ବି ହୋଇନାହିଁ ।
ଏପଟେ ପ୍ରତି ଦୋକାନରେ ଚାନ୍ଦୁଆ ଓ ଅନ୍ୟାନ୍ୟ ସବୁ ଗଦା ହୋଇ ରହିଛି । କାହା ଦୋକାନରେ ୪୦ ହଜାର ଟଙ୍କାର ସାମଗ୍ରୀ ପଡିଛି ତ ଆଉ କାହା ଦୋକାନରେ ଲକ୍ଷେରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଗଦା ହୋଇଛି । ଏମିତି ପରିସ୍ଥିତି ଲାଗି ରହିଲେ ଏସବୁ ସାମଗ୍ରୀ ଥୁଆ ହୋଇ ପୁରୁଣା ହୋଇଯିବ । ଚମକ ଛାଡିଯିବ ଆଉ ନଷ୍ଟ ହେବାର ଆଶଙ୍କା ବି ବହୁତ । ଫଳରେ ହତାଶ ହୋଇଛନ୍ତି ଦୋକାନୀ ଆଉ କାରିଗର ।










