ବିଜେପି ନେତାଙ୍କ ବେକକାଟି ହତ୍ୟା
ଘଣ୍ଟାପଡା:-ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନାର ଘଣ୍ଟାପଡା ଫାଣ୍ଡି ଅନ୍ତର୍ଗତ ଆମ୍ବଗାଁ ସମଲେଶ୍ୱରୀ ନାଳ ନିକଟ ଆମ୍ବବଗିଚା ଠାରେ ଶୁକ୍ରବାର ସକାଳେ ବିଶିଷ୍ଟ ମାନବକର୍ମୀ ତଥା ବିଜେପି ନେତା ଲୋକନାଥ ପ୍ରଧାନ(ଲୁକୁ)ଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଲୋକନାଥଙ୍କ ବେକକାଟି ହତ୍ୟା କରିଥିବା ବେଳେ ଦୁଇହାତରେ ମଧ୍ୟ କଟା ଚିହ୍ନ ରହିଛି । ଖବରପାଇ କଣ୍ଟାମାଳ ଥାନା ଆଇଆଇସି ଅଶ୍ୱିନୀ ଭିତିରିଆ, ଏସଡିପିଓ ବୌଦ୍ଧ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।
କଣ୍ଟାମାଳ ଥାନା ଖମନମୁଣ୍ଡା ପଞ୍ଚାୟତ ସିଆଲଝୁଲି ଗ୍ରାମର ଲୋକନାଥ ପ୍ରଧାନ(୩୨) ଗତ ଗୁରୁବାର ରାତି ପ୍ରାୟ ୮ଟାରେ ଘରେ ଏକ ଫୋନ୍ ଆସିବାରୁ ନିଜ ବାଇକ୍ ଧରି ଘରୁ ବାହାରିଥିଲେ । ରାତିରେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପତ୍ନୀ ସାଙ୍ଗ ସାଥୀମାନଙ୍କୁ ଫୋନ କରିବା ସହ ବହୁ ଖୋଜାଖୋଜି କରି କୌଣସି ସନ୍ଧାନ ପାଇନଥିଲେ । ଗତକାଲି ସକାଳୁ ଆମ୍ବଗାଁ ସମଲେଶ୍ୱରୀ ନାଳ ପାଖ ଆମ୍ବବଗିଚା ଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିଲା । ପୁଲିସ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ । ମୃତ ଲୁକୁଙ୍କୁ ଯୋଜନାବଦ୍ଧ ଭାବେ ଘରୁ ଡାକି ହତ୍ୟା କରାଯାଇଥିବା ପୁଲିସ ତଦନ୍ତରୁ ଅନୁମାନ କରିଛି । ମୃତକଙ୍କ ଭିଣୋଇ ବିରବଲ୍ ମେସୁଆଙ୍କ ଅଭିଯୋଗ ଆଧାରରେ କଣ୍ଟାମାଳ ପୁଲିସ ମାମଲା ରୁଜୁ କରିଛି । ପ୍ରକାଶ ଥାଉକି, ଲୁକୁ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟରେ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିବାରୁ ହତ୍ୟାର କାରଣ ରାଜନୈତିକ ଆକ୍ରୋଶ ହୋଇଥାଇପାରେ ବୋଲି ମୃତକଙ୍କ ପତ୍ନୀ କହିଛନ୍ତି ।