ଶିଳ୍ପାନୁଷ୍ଠାନ କର୍ମଚାରୀଙ୍କ ପାଇଁ ୧୩ କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ

ଭୁବନେଶ୍ୱର:- ଶିଳ୍ପାନୁଷ୍ଠାନ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ୧୩ଟି କୋଭିଡ୍‌ କେୟାର ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ଅନ୍ୟ ଶିଳ୍ପ ସଂସ୍ଥାଗୁଡ଼ିକ ତ୍ୱରିତ୍‌ ବେଗରେ କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ଶ୍ରୀ ତ୍ରିପାଠୀ କହିଲେ, ପ୍ରାୟ ଶତକଡ଼ା ୮୦ରୁ ୮୫ ଭାଗ କରୋନା ଆକ୍ରାନ୍ତ କୋଭିଡ୍‌ କେୟାର ସେଣ୍ଟରରେ ଆରୋଗ୍ୟ ହୋଇପାରିବେ । ନିଜ ପରିଚିତ ପରିସର କେୟାର ସେଣ୍ଟରରେ ରଖି ଯତ୍ନ ନେଲେ ସେମାନେ ଶୀଘ୍ର ଆରୋଗ୍ୟ ଲାଭ କରିପାରିବେ । ବର୍ତ୍ତମାନ ସୁଦ୍ଧା ୧୩ଟି ଶିଳ୍ପ ସଂସ୍ଥା ନିଜ ନିଜ ପରିସରରେ ସ୍ୱାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ ଅନୁଯାୟୀ କୋଭିଡ କେୟାର ସେଣ୍ଟର ବ୍ୟବସ୍ଥା କାର୍ଯ୍ୟକ୍ଷମ କରିଛନ୍ତି ।

ଓପିଟିସିଏଲ୍‌ ଭୁବନେଶ୍ୱରର ଚନ୍ଦକାରେ ୮ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର କରିଥିବାବେଳେ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁରରେ ୫୧ ଶଯ୍ୟା ବିଶିଷ୍ଟ କେନ୍ଦ୍ର, ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଲପଙ୍ଗାରେ ୮ ଶଯ୍ୟା ବିଶିଷ୍ଟ, ହିନ୍ଦାଲକୋ ହୀରାକୁଦରେ ୧୪ ଶଯ୍ୟା ବିଶିଷ୍ଟ, ଏନ୍‌ଟିପିସି କଣିହାରେ ୧୦ ଶଯ୍ୟା ବିଶିଷ୍ଟ, ଉତ୍କଳ ଆଲୁମିନା ଦୋରାଗୁଡ଼ାରେ ୨୨ ଶଯ୍ୟା ବିଶିଷ୍ଟ, ଜିନ୍ଦଲ ଷ୍ଟିଲ ପାୱାର ଅନୁଗୁଳରେ ୩୦ ଶଯ୍ୟା ବିଶିଷ୍ଟ କେନ୍ଦ୍ର କାର୍ଯ୍ୟକ୍ଷମ କରାଇଛନ୍ତି । ଟାଟା ପାୱାର ଯାଜପୁରରେ ୪ଶହ ଶଯ୍ୟା ଓ ଡୁବୁରିରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର କେନ୍ଦ୍ର କରିଛି । ଗଞ୍ଜାମରେ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ୨୦ ଶଯ୍ୟା, ରାଉରକେଲାର ସେକ୍ଟର-୬ରେ ଆରଏସପି ପକ୍ଷରୁ ୨୫ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର କରାଯାଇଛି ।

ରାଦୀପରେ ଇଣ୍ଡିଆନ ଅଏଲ୍‌ ଦ୍ୱାରା ୧୦୦ ଶଯ୍ୟା ବିଶିଷ୍ଟ, ଝାରସୁଗୁଡ଼ାର ଲଖନପୁରରେ ଏମସିଏଲ୍‌ ଦ୍ୱାରା ୧୭୦ ଶଯ୍ୟା ଓ ଜିନ୍ଦଲ ଷ୍ଟେନଲେସ୍‌ ଲିମିଟେଡ୍‌ ପକ୍ଷରୁ ଯାଜପୁରରେ ୩୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଇଛି । ଏନ୍‌ଏଲସି ଇଣ୍ଡିଆ ଲିଃ ଝାରୁସୁଗୁଡ଼ାରେ ୧୫ ଶଯ୍ୟା, ପାରାଦୀପ ଫସଫେଟ୍‌ ଲିଃ ପାରାଦୀପରେ ୨୦ ଶଯ୍ୟା, ପାରାଦୀପରେ ଇଫ୍‌କୋ ୩୫ ଶଯ୍ୟା, ଆଇଓସିଏଲ୍‌ ଟାଉନସିପ୍‌ରେ ୪୦ ଶଯ୍ୟା, ବେଦାନ୍ତ ଲିଃ ଲାଞ୍ଜିଗଡ଼ରେ ୩୦ ଶଯ୍ୟା ଓ ଝାରସୁଗୁଡ଼ାରେ ୫୦ ଶଯ୍ୟା, ବୁର୍ଲାରେ ଏମସିଏଲ୍‌ ପକ୍ଷରୁ ୫୦ ଶଯ୍ୟା, କଳିଙ୍ଗନଗରରେ ଜିନ୍ଦଲ ଷ୍ଟେନଲେସ ଲଃ ପକ୍ଷରୁ ୩୦ ଶଯ୍ୟା, ବରଗଡ଼ରେ ଏସିସି ସିମେଣ୍ଟ ପକ୍ଷରୁ ୩୦ ଶଯ୍ୟା, କଳିଙ୍ଗନଗରରେ ଟାଟା ଷ୍ଟିଲ ଦ୍ୱାରା ୮୦ ଶଯ୍ୟା ଓ ଏସବିଆଇ ପକ୍ଷରୁ ପୁରୀରେ ୩୫ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ସ୍ଥାପନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।

Leave a Reply

Your email address will not be published. Required fields are marked *