ବୈଜ୍ଞାନିକ କଲେ ସତର୍କ -ସ୍କୁଲ ଖୋଲିଲେ ସଂକ୍ରମଣ ବଢ଼ିବ
ନୂଆଦିଲ୍ଲୀ:-କରୋନା ଭୂତାଣୁ ମହାମାରୀ ବ୍ୟାପୁଥିବା ବେଳେ କେତେକ ରାଷ୍ଟ୍ରରେ ସ୍କୁଲ ଖୋଲିଲାଣି । ପିଲାମାନେ ମାସ୍କ ପିନ୍ଧି ଏବଂ ସାମାଜିକ ଦାୟିତ୍ୱ ରକ୍ଷା କରି ଶ୍ରେଣୀଗୃହରେ ଅଧ୍ୟୟନ କରୁଥିବା ଦେଖିବାକୁ ମିଳିଛି । ଭାରତରେ ଏବେ ସ୍କୁଲ ଖୋଲିବା ନେଇ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକଠାରୁ ମତାମତ ଲୋଡ଼ିଛନ୍ତି । ଦେଶରେ ସଂକ୍ରମଣ ଇତିମଧ୍ୟରେ ୧୨ ଲକ୍ଷ ଡେଇଁବାକୁ ଯାଉଥିବା ବେଳେ ସ୍କୁଲ ଖୋଲିବା ପରେ ଆଲୋଚନା ଆରମ୍ଭ ହୋଇଯାଇଛି ।
କିନ୍ତୁ ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଛନ୍ତି । ପିଲାମାନେ ସ୍କୁଲକୁ ଆସିବା ପରେ ସଂକ୍ରମଣ ଆହୁରି ବଢ଼ିବ ବୋଲି ସେମାନେ ସତର୍କବାଣୀ କରିଛନ୍ତି । ଦକ୍ଷିଣ କୋରିଆରେ ୬୫,୦୦୦ ଲୋକଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରେ ବି ସମାନ କଥା କୁହାଯାଇଛି । ଅଧ୍ୟୟନ ଦର୍ଶାଇଛି ଯେ ୧୦ରୁ ୧୯ ବର୍ଷ ବୟସର ପିଲାମାନେ ବୟସ୍କଙ୍କ ଭଳି ସଂକ୍ରମଣ ବ୍ୟାପିବାରେ ମାଧ୍ୟମ ସାଜିପାରନ୍ତି । ଅଧିକ ବୟସର ଲୋକଙ୍କୁ ଯେମିତି କରୋନା ଭୂତାଣୁ ଆକ୍ରାନ୍ତ କରୁଛି, ସେମିତି ଏହି ବୟସର ପିଲାମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ । କିନ୍ତୁ ୧୦ ବର୍ଷରୁ କମ୍ ବୟସର ପିଲାମାନେ ସଂକ୍ରମଣର ଶିକାର ହେବା ଆଶଙ୍କା କମ୍ ବୋଲି କୁହାଯାଇଛି । ଅଧ୍ୟୟନ ମୁତାବକ ମାଧ୍ୟମିକ ଓ ହାଇସ୍କୁଲରେ ପଢୁଥିବା ପିଲାମାନେ ବଡ଼ ଲୋକଙ୍କ ତୁଳନାରେ ଅଧିକ ବେଗରେ ସଂକ୍ରମଣ ବଢ଼ାଇ ପାରନ୍ତି । ପିଲାମାନେ ସେତେଟା ସତର୍କତା ଅବଲମ୍ବନ କରିବେ ନାହିଁ । ତେଣୁ ସଂକ୍ରମଣ ହେବା ଆଶଙ୍କା ଅଧିକ ରହିବ । ଏମିତି କି ଏହି ବୟସର କିଛି ପିଲାଙ୍କଠାରେ କିଛି ଖରାପ ଅଭ୍ୟାସ ରହିଥାଏ ।
ଛୋଟ ପିଲାମାନଙ୍କ ତୁଳନାରେ ଏମାନେ ନିଜ ସାଙ୍ଗମାନଙ୍କ ସହ ଅଧିକ ମିଳାମିଶା କରିଥାନ୍ତି । ଡାକ୍ତରଙ୍କ ମୁତାବକ ସ୍କୁଲଗୁଡ଼ିକୁ ସଂକ୍ରମଣ ବୃଦ୍ଧି ମାମଲାକୁ ନେଇ ପ୍ରସ୍ତୁତ ରହିବାକୁ ପଡ଼ିବ । ଏଥିପାଇଁ ସଜାଗ ହୋଇ ପଦକ୍ଷେପ ନେବାକୁ ହେବ । ସାମାଜିକ ଦୂରତା, ପରିଷ୍କାର ପରିଚ୍ଛନ୍ନତା ଏବଂ ମାସ୍କ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ । ସେହିଭଳି ସ୍କୁଲ ଖୋଲିବା ପରେ କୌଣସି ପିଛା କିମ୍ବା କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ନମୁନା ପରୀକ୍ଷଣ କରାଇବାକୁ ହେବ । କେତେବେଳେ ସ୍କୁଲ ଖୋଲାହେବ ଏବଂ ବନ୍ଦ ରହିବ, ତାହା ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ । ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ କରୋନା ପରେ ଖୋଲିଥିବା ସ୍କୁଲରେ ସଂକ୍ରମଣ ବଢ଼ିଥିବା ନେଇ ପ୍ରମାଣ ମିଳିନାହିଁ । ଡେନମାର୍କ ଓ ଫିନଲାଣ୍ଡ ଭଳି ଦେଶ ସ୍କୁଲ ଖୋଲିବାରେ ସଫଳ ହୋଇଛନ୍ତି । କିନ୍ତୁ ଚୀନ, ଇସ୍ରାଏଲ ଓ ଦକ୍ଷିଣ କୋରିଆରେ ସ୍କୁଲ ଖୋଲାଯିବା ପରେ ପୁଣି ବନ୍ଦ କରାଯାଇଛି । କଲମ୍ବିଆ ୟୁନିଭର୍ସିଟିର ମେଲମ୍ୟାନ ସ୍କୁଲ ଅଫ୍ ପବ୍ଲିକ ହେଲ୍ଥରେ ମହାମାରୀ ବିଶେଷଜ୍ଞ ଥିବା ଜାଫ୍ରି ଶ୍ୟାମେନ କହିଛନ୍ତି, ସ୍କୁଲ ଖୋଲାଯିବା ଦ୍ୱାରା ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି ।