ଗୋଟିଏ ଦିନରେ ୪୫ ହଜାର ୭୨୦ ନୂଆ ମାମଲା, ୧୧୨୯ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ:- ଦେଶରେ କରୋନା ମାମଲା ୧୨ ଲକ୍ଷରୁ ଅଧିକ ହେଲାଣି | ବୁଧବାର ଦିନ ସର୍ବାଧିକ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ଗୋଟିଏ ଦିନରେ ୪୫ ହଜାର ୭୨୦ ନୂଆ ମାମଲା ସାମ୍ନାକୁ ଆସିଛି | ଗୋଟିଏ ଦିନରେ ୧୧୨୯ ଜଣଙ୍କ ମୃତ୍ୟୁ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ୧୨ ଲକ୍ଷ ୩୮ ହଜାର ୬୩୫ ମାମଲା ରହିଛି | ସେଥିରୁ ୪ ଲକ୍ଷ ୨୬ ହଜାର ୧୬୭ ଆକ୍ଟିଭ ମାମଲା ରହିଥିବାବେଳେ ୭ ଲକ୍ଷ ୮୨ ହଜାର ୬୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ହଜାର ୮୬୧ ଜଣଙ୍କ ମୃତ୍ୟୁ ହୋଇଛି |
ମହାରାଷ୍ଟ୍ରରେ ବୁଧବାର ଦିନ ୧୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି | ପୁଣେରୁ ସବୁଠାରୁ ଅଧିକ ୩୬୦୬ ମାମଲା ଆସିଥିବାବେଳେ ମୁମ୍ବାଇରୁ ୧୩୧୦ ମାମଲା ସାମ୍ନାକୁ ଆସିଥିଲା | ପୁଣେରେ ଏବେ ସୁଦ୍ଧା ୬୩ ହଜାର ୩୫୧ ଓ ମୁମ୍ବାଇରେ ୧ ଲକ୍ଷ ୪ ହଜାର ୬୭୮ ସଂକ୍ରମିତ ହୋଇଛନ୍ତି | ସଙ୍ଗଲିରେ ଜୁଲାଇ ୨୨ ତାରିଖ ରାତି ୧୦ଟାରୁ ଜୁଲାଇ ୩୧ ତାରିଖ ଯାଏଁ ଲକଡାଉନ କରାଯାଇଛି | ଉତ୍ତର ପ୍ରଦେଶରେ ଜୁଲାଇ ମାସରେ ଏବେ ସୁଦ୍ଧା ୨୨ ଦିନରେ ୩୨ ହଜାର ୬୭୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |
ICMR ଜାରି କରିଥିବା ତାଲିକା ଅନୁଯାୟୀ, ବୁଧବାର ଦିନ ଭାରତରେ ୩ ଲକ୍ଷ ୫୦ ହଜାର ୮୧୩ କରୋନା ଟେଷ୍ଟ ହୋଇଥିଲା | ଦେଶରେ ଏବେ ସୁଦ୍ଧା ୧ କୋଟି ୫୦ ଲକ୍ଷ ୭୫ ହଜାର ୩୬୯ କରୋନା ଟେଷ୍ଟ ହୋଇଛି | ଦେଶରେ ବର୍ତ୍ତମାନ ୪ ଲକ୍ଷ ୨୬ ହଜାର ୧୬୭ ଆକ୍ଟିଭ ମାମଲା ରହିଛି |
କରୋନା ସଂକ୍ରମଣ ମାମଲାରେ ଭାରତ ଦୁନିଆର ତୃତୀୟ ସ୍ଥାନରେ ଅଛି | ପ୍ରଥମ ସ୍ଥାନରେ ରହିଛି ଆମେରିକା | ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୪୧ ଲକ୍ଷ ୮୭୫ରେ ପହଞ୍ଚିଛି | ଦ୍ୱିତୀୟ ସ୍ଥାନରେ ଅଛି ବ୍ରାଜିଲ | ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ୩୧ ହଜାର ୮୭୧ରେ ପହଞ୍ଚିଛି |