ନବମ-ଦଶମ ପିଲାଙ୍କୁ ମାଗଣା ପୋଷାକ ଏବଂ ପୁସ୍ତକ

କେନ୍ଦୁଝର,:-ରାଜ୍ୟରେ କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍‌)ରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନଭୋଜନ ସାଙ୍ଗକୁ ମାଗଣା ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ବଣ୍ଟନ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି । ଏହା ସହ ଦଶମ ବୋର୍ଡ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ୧୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ । ପ୍ରାଥମିକ ଶିକ୍ଷା ସହ ମାଧ୍ୟମିକ ଶିକ୍ଷାକୁ ଯୋଡ଼ିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଫଳରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ବୃଦ୍ଧିର ନୂତନ ସମ୍ଭାବନା ସୃଷ୍ଟି ହୋଇଛି ।

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଡିଏମ୍‌ଏଫ ତରଫରୁ ବାର୍ଷିକ ୨୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଯଦ୍ୱାରା ଜିଲ୍ଲାରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଦରବାର ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । ଅଷ୍ଟମ ଶ୍ରେଣୀ ପରେ ପାଠ ଛାଡୁଥିବା ପିଲାଙ୍କୁ ନବମ ଓ ଦଶମ ଶ୍ରେଣୀରେ ପଢ଼ିବାକୁ ପ୍ରୋତ୍ସାହିତ କରିବା, କିଶୋର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଯୋଗାଇବା ଏବଂ ସଫଳତାର ସହ ହାଇସ୍କୁଲ ଶିକ୍ଷା ସମ୍ପୂର୍ଣ୍ଣ କରାଇବା ପାଇଁ ଉତ୍ସାହିତ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଛନ୍ତି ।

କେନ୍ଦୁଝର ଜିଲ୍ଲାରେ ୫୫ ଧ ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତି ବର୍ଗର । ତେଣୁ ଜିଲ୍ଲାର ସରକାରୀ ସ୍କୁଲ୍‌ ଗୁଡିକରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲାଙ୍କ ମଧ୍ୟରୁ ୬୦ ରୁ କମ୍‌ ପିଲା ଦଶମ ଶ୍ରେଣୀ ପରେ ପାଠପଢ଼ା ଜାରି ରଖିଥାନ୍ତି । ଏହାର ପ୍ରମୁଖ କାରଣ ଗୁଡ଼ିକ ହେଲା ଗରିବ ଶ୍ରେଣୀର ପିଲା ଅଷ୍ଟମ ପରେ ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ଯୋଗାଡ଼ କରି ପାରିନଥାନ୍ତି ଏବଂ ମଧ୍ୟାହ୍ନଭୋଜନରୁ ବଞ୍ଚିତ ହୋଇଥାନ୍ତି । ଏହି ପ୍ରକଳ୍ପ ପିଲାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *