ସିବିଏସଇରେ ୯୦ ପ୍ରତିଶତ ମାର୍କ ରଖିଥିବା ପିଲା ସଂଖ୍ୟା ହ୍ରାସ ପାଇଲା

ଭୁବନେଶ୍ୱର : ନିକଟରେ ପ୍ରକାଶ ପାଇଛି ସିବିଏସଇ ପରୀକ୍ଷାଫଳ । ଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟର ବିଦ୍ୟାଥୀ ଓ ଅଭିଭାବକ ମାନେ ସେତେଟା ଖୁସି ହୋଇପାରୁନଥିବା ଚର୍ଚା ହେଉଛି । କାହିଁକି ନା ୨୦୧୯ରେ ଯେତେ ସଂଖ୍ୟକ ଛାତ୍ରଛାତ୍ରୀ ୯୦ପ୍ରତିଶତ ରୁ ଅଧିକ ମାର୍କ ରଖିଥିଲେ, ଚଳିତବର୍ଷ ତାହା ବହୁ ପରିମାଣରେ ହ୍ରାସ ପାଇଛି। ‌ଓଡ଼ିଶା ସମେତ କେତେକ ରାଜ୍ୟର ପାସ୍‌ହାର ବୃଦ୍ଧି ପାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିପାରି ନାହାନ୍ତି। ଓଡ଼ିଶାରେ ପାସ୍‌ହାର ବୃଦ୍ଧି ପାଇଛି ସତ, ହେଲେ୯୦%ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସେତେଟା ବୃଦ୍ଧି ପାଇ ନଥିବାରୁ ଶିକ୍ଷାବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ସିବିଏସ୍‌ଇର ସୂଚନା ଅନୁଯାୟୀ, ୨୦୧୯ରେ ୨ ଲକ୍ଷ ୨୫ ହଜାର ୧୪୩ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ମାର୍କ ରଖିଥିଲେ। ପାସ୍‌ ହାରର ୧୨.୭୮% ଥିଲା। ତେବେ ଚଳିତବର୍ଷ ୧ ଲକ୍ଷ ୮୪ ହଜାର ୪୫୮ ଜଣ ୯୦%ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ ହାର ୯.୮୪%କୁ ହ୍ରାସ ପାଇଛି। ସେହିପରି ୯୫ପ୍ରତିଶତ କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରଙ୍କ ସଂଖ୍ୟା ବି କମିଛି।

୨୦୧୯ରେ ୫୭ ହଜାର ୨୫୬ ଜଣ ୯୫% କିମ୍ବା ତା’ଠାରୁ ଅଧିକ ମାର୍କ ରଖିଥିଲେ, ଯେତେବେଳେ କି ଏଥର ମାତ୍ର ୪୧ ହଜାର ୮୦୪ ଜଣ ରହିଛନ୍ତି। ପାସ୍‌ହାର ୩.୨୫%ରୁ ୨.୨୩%କୁ ଖସି ଆସିଛି। ଦିଲ୍ଲୀର କେତେକ ଅଞ୍ଚଳରେ ଦଶମ ‌ଶ୍ରେଣୀରେ ଆଦୌ ପରୀକ୍ଷା ହୋଇ ନଥିବାରୁ ସେଠାକାର ଛାତ୍ରଛାତ୍ରୀଙ୍କୁ ପୂର୍ବ ମାର୍କ ଆଧାରରେ ମାର୍କ ଦିଆଯାଇଛି। ତେବେ ଏଠାରେ ପାସ୍‌ହାର କମିବା ସହ ଛାତ୍ରଛାତ୍ରୀ ସେତେଟା ଉନ୍ନତ ପ୍ରଦର୍ଶନ କରିପାରି ନଥିବା ଦେଖିବାକୁ ମିଳିଛି। କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ପୂର୍ବରୁ ହୋଇଥିବା ପରୀକ୍ଷା ର ଆଧାର ରେ ମୂଲ୍ୟାଙ୍କନ କରାଯାଇଥିବାରୁ ମେଧାବୀ ସଂଖ୍ୟା ହ୍ରାସ ପଛରେ କରୋନା କୁ ଦାୟୀ କରାଯାଇ ନ ପାରେ । ଚଳିତ ଥର କେଉଁ କାରଣରୁ ମେଧାବୀ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା କମିଲା ସେ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *