ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ଲାଜମା ଥେରାପୀ ଆରମ୍ଭ

ଭୁବନେଶ୍ୱର – ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଉପରେ ଗୁରୁତ୍ବ । ୫ ଫୋକସ ଜିଲ୍ଲାରେ ଆହୁରି ସୁଦୃଢ ହେବ ତଦାରଖ ବ୍ୟବସ୍ଥା । ବୃଦ୍ଧି ହେବ କୋଭିଡ ହସ୍ପିଟାଲେର ଶଯ୍ୟା, ଆମ୍ବୁଲାନ୍ସ ଏବଂ ଆଇସିୟୁ। ବିଶେଷକରି କଟକ, ଭୁବନେଶ୍ବର ଓ ଗଞ୍ଜାମରେ ଥିବା କୋଭିଡ ହସ୍ପିଟାଲରେ ଶଯ୍ୟା ଏବଂ ଆଇ.ସି.ୟୁର ଅଭାବ ରହିବନି । ଏହିସବୁ ସହର ମାନଙ୍କରେ ଆହୁରି ୨୦୦ ଆଇ.ସି.ୟୁ ବେଡ ସହିତ ଶଯ୍ୟା ସଂଖ୍ୟା ଆଗାମୀ ୭ ଦିନ ମଧ୍ୟରେ ବୃଦ୍ଧି ଲାଗି ପଦକ୍ଷେପ ନିଆଯିବ । ପରୀକ୍ଷା ପାଇଁ ଅଧିକ ଲାବୋରେଟୋରୀ ଏବଂ ଟେକନିସିଆନ ନିଯୁକ୍ତ ହେବେ । କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଆସନ୍ତାକାଲି ଠାରୁ ରାଜ୍ୟରେ ପ୍ଲାଜମା ଥେରାପୀ ଆରମ୍ଭ ହେବ । ଭୁବନେଶ୍ବରର ସମ୍ ହସ୍ପିଟାଲ, କିମ୍ସ ଓ କଟକର ଅଶ୍ବିନୀ ହସ୍ପିଟାଲରେ ଆରମ୍ଭ କରାଯିବ। SCB ମେଡିକାଲ କଲେଜ ପ୍ଲାଜମା ଥେରାପୀର ନୋଡାଲ ସେଣ୍ଟର ଭାବରେ କାମ କରିବ ।

ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଆଦି ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀ ଆସିଥିବାରୁ ଏହି ସବୁ ଜିଲ୍ଲାକୁ ଅଧିକ ଫୋକସ ଦିଆଯାଇଛି । ବୈଠକରେ କୋଭିଡ ରୋଗୀଙ୍କ ସୁବିଧା ଏବଂ କୋଭିଡ ଯୋଦ୍ଧାଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ସତ୍କାର କରାଯିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୋଭିଡ ଯୋଦ୍ଧା ମାନଙ୍କୁ ନିୟମିତ ତାଲିମ, ଉତ୍ତମ ଖାଦ୍ୟ ଯୋଗାଣ ଏବଂ ନିୟମିତ ଯୋଗାଯୋଗ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନିେର୍ଦଶ ଦେଇଛନ୍ତି ।

ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ଡେଇଁଛି । ଆଜି ୫୪୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୮୦ ହୋଇଛି । ଆଜି ଆଉ ୪ ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି । ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଳ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟ ୪ ହଜାର ୩୩୫ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୪ ରେ ପହଞ୍ଚିଛି । ସେହିପରି ସୁନ୍ଦରଗଡ ଜିଲ୍ଲାରେ ୭ ଶହ ପାର୍ କରିଛି ସଂଖ୍ୟା । ଆଜି ଚିହ୍ନଟ ୫୨ ଆକ୍ରାନ୍ତଙ୍କ ମଧ୍ୟରେ ୩୬ ଜଣ ପୋଲିସ୍ କର୍ମଚାରୀ ଏବଂ ଜଣେ ଡାକ୍ତର । ମାଲକାନଗିରି ଜିଲ୍ଲାରୁ ଚିହ୍ନଟ ୧୧ କରୋନା ପଜିଟିଭଙ୍କ ଭିତରୁ ୭ ଜଣ ସ୍ବାସ୍ଥ୍ୟକର୍ମୀ । ସେହିପରି ରାୟଗଡା ଜିଲ୍ଲାରୁ ଆଜି ୨୪ ଜଣ ଚିହ୍ନଟ ହୋଇଛନ୍ତି ।

କଟକ ଜିଲ୍ଲାରୁ ଆଜି ୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ କଟକ ସହରରୁ ୨୭ ଜଣ । ସେହିପରି ରାଜଧାନୀରୁ ଆଜି ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬୯ କୁ ବୃଦ୍ଧି ପାଇଛି । କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ଖୋର୍ଦ୍ଧାର ୨ଟି ଘରୋଇ ହସ୍ପିଟାଲ ସିଲ୍ କରାଯାଇଛି ।

Leave a Reply

Your email address will not be published. Required fields are marked *