ଗୌହାଟୀ ସେଣ୍ଟ୍ରାଲ ଜେଲରେ ୩୦ ଜଣ କଏଦୀ କରୋନା ପଜିଟିଭ
ନୂଆଦିଲ୍ଲୀ:- ଆସାମର ରାଜଧାନୀ ଗୌହାଟୀ ସ୍ଥିତ ସେଣ୍ଟ୍ରାଲ ଜେଲକୁ ରାଜ୍ୟ ସରକାରଙ୍କ ଦ୍ୱାରା କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ ଜେଲର ୩୦ ଜଣ କଏଦୀ କରୋନା ଦ୍ୱାରା ସଂକ୍ରମିତ ହେବା ପରେ ପ୍ରଶାସନ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଛି । ଯେଉଁମାନେ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ଭିତରେ ଅଛନ୍ତି ଉଗ୍ରବାଦୀ ସଂଗଠନ ଏନଡିଏଫବି(ଆର) ମୁଖ୍ୟ ରଞ୍ଜନ ଦାଇମାରି ଏବଂ କୃଷକ ମୁକ୍ତି ସଂଗଠନ ସମିତି ନେତା ଅଖିଳ ଗୋଗୋଇ ।
କେନ୍ଦ୍ରୀୟ କାରାଗାରରେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହେବା ଯୋଗୁ ଉଭୟ ସ୍ୱାସ୍ଥ୍ୟ ଏବଂ ଗୃହ ବିଭାଗର ଚିନ୍ତା ବଢିଯାଇଛି । କାରଣ ଏହି କରୋନା ସଂକ୍ରମିତ କଏଦୀଙ୍କୁ ଅନ୍ୟ କଏଦୀଙ୍କ ସହ ସେଇ ଜେଲରେ ଆଉ ରଖାଯାଇପାରିବ ନାହିଁ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କିଛି କରୋନା ସଂକ୍ରମିତ କଏଦୀଙ୍କୁ କଲାପାହାର କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲାବେଳେ ଆଉ କେତେକଙ୍କୁ ମହେନ୍ଦ୍ର ମୋହନ ଚୌଧୁରୀ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।