ବଲାଙ୍ଗିରରେ ଟ୍ରାକ୍ଟର ଭଡ଼ା ପାଇଁ ଡବଲ୍‌ ମର୍ଡର!

ବଲାଙ୍ଗିର:- ଟ୍ରାକ୍ଟର ଭଡ଼ା ପାଇଁ ଘଟିଛି ଡବଲ୍‌ ମର୍ଡର! ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା ବେଲ୍‌ପଡ଼ା ଥାନା ଅଞ୍ଚଳରେ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବେଲପଡ଼ା ଥାନା ଅନ୍ତର୍ଗତ ଦର୍ଲିମୁଣ୍ଡା ଗାଁର ମୋତିଲାଲ୍‌ ବନଚ୍ଛୋରଙ୍କର ଗୋଟିଏ ଟ୍ରାକ୍ଟର ଅଛି। ସେହି ଟ୍ରାକ୍ଟରକୁ ମଙ୍ଗଲ ରାଉତ ଚଳାଉ ଥିଲେ। ହେଲେ ତାଙ୍କୁ ନିୟମିତ ପାଉଣା ମିଳୁନଥିଲା। ପାଉଣା ବାବଦକୁ ପ୍ରାୟ ୧୦,୦୦୦ ଟଙ୍କା ମାଗିଲେ ଆଜି କାଲି କହୁଥିଲେ। ଏହାକୁ ନେଇ ଦୀର୍ଘ ଦିନ ହେଲା ବନଚ୍ଛୋର ଓ ରାଉତ ପରିବାର ମଧ୍ୟ ବିବାଦ ଲାଗି ରହିଥିଲା।ଆଜି ଏହି ବିବାଦର ସମାଧାନ ହେବାର ଥିଲା। ମଧ୍ୟାହ୍ନରେ ଗାଁର ବୈଠକ ବସିବାର ଥିଲା। ବୈଠକରେ ଯୋଗଦେବା ପାଇଁ ମୋତିଲାଲ୍‌ ବନ୍‌ଚ୍ଛୋର, ତାଙ୍କ ପୁଅ ଛନ୍ଦାମଣୀ ଓ ସମ୍ପର୍କୀୟମାନେ ଯାଉଥିଲେ। ତେବେ ଗାଁ ମୁଣ୍ଡ ବ୍ରିଜ୍‌ ନିକଟରେ ପୂର୍ବରୁ ପ୍ରସ୍ତୁତ ଥିବା ମଙ୍ଗଲ ରାଉତ ଓ ତାଙ୍କ ଭାଇମାନେ ଆତର୍କିତ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବାକୁ ଯାଇ ବନ୍‌ଚ୍ଛୋର ପରିବାର ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ମୋତିଲାଲ୍‌ ଓ ତାଙ୍କ ପୁଅ ଛନ୍ଦାମଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ମଙ୍ଗଲ ରାଉତଙ୍କ ପରିବାରରୁ ମଧ୍ୟ ୫ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ବେଲ୍‌ପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ବେଲ୍‌ପଡ଼ା ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *