ଭ୍ୟାକସିନ୍ ନ ଆସିଲେ ୨୦୨୧ରେ ଭାରତର ଅବସ୍ଥା ଭୟଙ୍କର ହେବ,

ନୂଆଦିଲ୍ଲୀ:-ଆମ ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ଏବେ ତ ପ୍ରତିଦିନ ପ୍ରାୟ ୨୫ ହଜାର ନୂତନ କୋଭିଡ୍-୧୯ ରୋଗୀ ଚିହ୍ନଟ ହେଉଛନ୍ତି। ମାତ୍ର ବଡ ଚିନ୍ତାର ବିଷୟ ଏହା ଯେ, ଏକ ଅଧ୍ୟୟନରେ ଆଶଙ୍କା ପ୍ରକାଶ କରାଯାଇଛି, ଭାରତରେ ଆଗାମୀ ସମୟରେ ପ୍ରତି ଦିନ କରୋନା ସଂକ୍ରମିତ ସଂଖ୍ୟା ବର୍ତ୍ତମାନ ସଂଖ୍ୟାଠୁ ୧୧ ରୁ ୧୨ ଗୁଣ ଅଧିକ ବଢିଯିବ। ମେସାଚୁସେଟସ୍‌ ଇନଷ୍ଟିଚ୍ୟୁୟଟ୍ ଅଫ ଟେକ୍ନୋଲୋଜି(MIT)ର ତିନି ଜଣ ଗବେଷକ କହିଛନ୍ତି, ଯଦି କୋଭିଡ୍-୧୯ ମହାମାରୀର ଚିକିତ୍ସା ପାଇଁ ଭାକସିନ୍‌ର ଆବିଷ୍କାର ନହୁଏ ତେବେ ଆଗାମୀ ବର୍ଷ ଥଣ୍ଡା ସମୟରେ ପ୍ରତି ଦିନ ପ୍ରାୟ ୩ ଲକ୍ଷ ନୂତନ କେସ୍ ସାମ୍ନାକୁ ଆସିପାରେ।

ଗବେଷକ ଚେତାବନୀ ଦେଇଛନ୍ତି ଯେ, କୋଭିଡ୍ ୧୯ର ଭ୍ୟାକସିନ୍ କିମ୍ବା ଔଷଧ ଅଭାବରେ ଭାରତରେ ୨୦୨୧ ଶେଷ ଆଡକୁ ପ୍ରତି ଦିନ ୨ ଲକ୍ଷ ୮୭  ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇ ପାରନ୍ତି। ଏମଆଇଟିର ସ୍ଲୋନ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଗବେଷକ ହାଜିର ରହମାନଦାଦ, ଟିଓ୍ଵାଇ ମିଲ ଓ ଜନ ଷ୍ଟରମ୍ୟାନ୍‌ ଦ୍ଵାରା ହୋଇଥିବା ଅଧ୍ୟୟନ ଅନୁଯାୟୀ, ଦୁନିଆରେ ୨୦୨୧ରେ ବସନ୍ତ ଋତୁ ପର୍ଯ୍ୟନ୍ତ ୨୪.୯  କୋଟି  ଲୋକ ସଂକ୍ରମଣର ଶିକାର ହୋଇ ପାରନ୍ତି ଏବଂ ୧୮ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିପାରେ। ଗବେଷକ ସ୍ପଷ୍ଟ ଭାବେ କହିଛନ୍ତି, ଏହି ଅନୁମାନ ଭ୍ୟାକସିନ୍ ଆବିଷ୍କାର ନହେବା ସ୍ଥିତିକୁ ଦେଖି କରାଯାଇଛି। ଚିକିତ୍ସା ଯୋଗାଣର ଅଭାବକୁ ଦୃଷ୍ଟିରେ ରଖି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ଗବେଷକଙ୍କ ଅନୁଯାୟୀ ଏହି ଅନୁମାନ ବର୍ତ୍ତମାନର ଯାଞ୍ଚର ଗତି, ସରକାରୀ ନୀତି ଏବଂ ସାଧାରଣ ଜନତାଙ୍କ କୋଭିଡ୍-୧୯ ପ୍ରତି ଆଭିମୁଖ୍ୟକୁ ଧ୍ୟାନରେ ରଖି କରାଯାଇଛି। ତେଣୁ ଏହାକୁ ସମ୍ଭାବିତ ବିପଦ ଭାବେ ଦେଖିବା ଉଚିତ୍। ଗବେଷକଙ୍କ କହିବା କଥା ଯଦି ଯାଞ୍ଚ ଆହୁରି ଗତିଶୀଳ ହୁଏ ଏବଂ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନିୟମ କଡାକଡି ପାଳନ ହୁଏ ତେବେ ମହାମାରୀ ବ୍ୟାପିବା ହ୍ରାସ ହୋଇପାରେ। ଏହି ଦିଗ ପ୍ରତି ଧ୍ୟାନ ନଦେଲେ ଭବିଷ୍ୟତରେ କରୋନା ଆହୁରି ବିକଟାଳ ରୂପ ଦେଖାଇପାରେ।

ଭାରତ ସହିତ ଅଛନ୍ତି ଏହି ଟପ୍ ୧୦ ଦେଶ

ଏହି ଅଧ୍ୟୟନ ଅନୁଯାୟୀ, ୨୦୨୧ ଶୀତ ଋତୁ ପର୍ଯ୍ୟନ୍ତ ଯେଉଁ ଦେଶଗୁଡିକର ଦୈନିକ ସଂକ୍ରମଣ ହାରକୁ ନେଇ ଅନୁମାନ କରାଯାଇଛି, ସେଥିରେ ଶୀର୍ଷ ୧୦ରେ ଭାରତ, ଆମେରିକା, ଦକ୍ଷିଣ ଆଫ୍ରିକା, ଇରାନ, ଇଣ୍ଡୋନେସିଆ, ୟୁକେ, ନାଇଜେରିଆ, ତୁର୍କୀ, ଫ୍ରାନ୍ସ ଓ ଜର୍ମାନୀ ଆଦି ସାମିଲ। ଅଧ୍ୟୟନ ଅନୁଯାୟୀ, ଶୀତ ଋତୁ ପର୍ଯ୍ୟନ୍ତ ଭାରତ ସର୍ବାଧିକ ପ୍ରଭାବିତ  ହୋଇପାରେ। ଏହା ପରେ ଆମେରିକା(ପ୍ରତି ଦିନ ୯୫ ହଜାର କେସ୍), ଦକ୍ଷିଣ ଆଫ୍ରିକା(ପରତି ଦିନ ୨୧ ହଜାର କେସ୍), ଇରାନ(ପ୍ରତିଦିନ ୧୭ ହଜାର କେସ୍) ଓ ଇଣ୍ଡୋନେସିଆ(ପ୍ରତି ଦିନ ୧୩  ହଜାର କେସ୍‌) ହୋଇପାରେ।

ଏହି ପରିସ୍ଥିତିକୁ ଆଧାର କରି ହୋଇଛି ଅଧ୍ୟୟନ

ଗବେଷକ ତିନୋଟି ସମ୍ଭାବିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅନୁମାନ ଉପସ୍ଥାପନ କରିଛନ୍ତି। ପ୍ରଥମ- ଦେଶରେ ଯାଞ୍ଚ ହାର ଓ ସେଠାକାର ମହାମାରୀ ପ୍ରତି ସଚେତନତାର ସ୍ତର, ଦ୍ଵିତୀୟ- ଯଦି ଯାଞ୍ଚରେ ପ୍ରତିଦିନ ୦.୧ ପ୍ରତିଶତ ବୃଦ୍ଧି କରାଯାଏ ଓ ତୃତୀୟ- ଯଦି ବର୍ତ୍ତମାନର ଯାଞ୍ଚ ପ୍ରକ୍ରିୟାରୁ ହଟି ସମ୍ଭାବିତ ବିପଦ ପ୍ରତି ସଂପର୍କ କରାଯାଏ।

୧୨ ଗୁଣା ବଢିପାରେ କେସ୍‌

ପ୍ରଥମ ଦୁଇଟି ପରିସ୍ଥିତିରେ ୨୦୨୦ ଶେଷ ସୁଦ୍ଧା କିଛି ଦେଶ, ବିଶେଷ କରି ଭାରତ, ଏହା ପରେ ବାଂଲାଦେଶ, ପାକିସ୍ତାନ ଓ ଆମେରିକାରେ ମଧ୍ୟ ଲକ୍ଷାଧିକ ନୂତନ କେସ୍ ଚିହ୍ନଟ ହେବେ।

Leave a Reply

Your email address will not be published. Required fields are marked *