ଚଳିତ ବର୍ଷ ରଦ୍ଦ ହେଲା ଏସିଆ କପ୍, ଘୋଷଣା କଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ:- ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବୁଧବାର ଏସିଆ କପ୍ ରଦ୍ଦ ହେବାର ଘୋଷଣା କରିଛନ୍ତି। ଏହି ଘୋଷଣା ଏସିଆନ କ୍ରିକେଟ୍ ପରିଷଦର ଜୁଲାଇ ୯ରେ ହେବାକୁ ଥିବା ବୈଠକର ଗୋଟିଏ ଦିନ ପୂର୍ବରୁ କରାଯାଇଛି।
ଗାଙ୍ଗୁଲି ଏହି ନିଷ୍ପତ୍ତି ବିଷୟରେ ଅଧିକ ସୂଚନା ଦେଇନଥିଲେ ବି କେବଳ ଏତିକି କହିଛନ୍ତି, ଏସିଆ କପ୍ ବାତିଲ୍ ହୋଇଛି। ଗାଙ୍ଗୁଲି ଏହା ମଧ୍ୟ କହି ନାହାନ୍ତି ଯେ, କଣ ଏହି ନିଷ୍ପତ୍ତି ଏସିଆ କ୍ରିକେଟ୍ ପରିଷଦ ନେଇଛି କି ନୁହେଁ। ସେ ସମାଚାର ଚ୍ୟାନେଲ୍ ଆଜତକ୍ ସହ ଇନଷ୍ଟାଗ୍ରାମ ଲାଇଭ ଚ୍ୟାଟ୍ରେ କହିଛନ୍ତି, ଏହା କହିବା ମୁସ୍କିଲ ଯେ, ଭାରତରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ହେବ କି ନାହିଁ। ଆମେ ଅନ୍ତରାଷ୍ଟ୍ରୀୟ ମୁକାବିଲା ପାଇଁ ପ୍ରସ୍ତୁତ ମାତ୍ର ସରକାରଙ୍କ ନିୟମ ବିଷୟରେ କିଛି କରି ପାରିବୁ ନାହିଁ। ଆମେ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବୁ ନାହିଁ। ଖେଳାଳିଙ୍କ ସ୍ଵାସ୍ଥ୍ୟ ଆମର ପ୍ରଥମ ପ୍ରାଥମିକତା। ମାସ ମାସ ଧରି ଆମେ ସ୍ଥିତି ଉପରେ ନଜର ରଖିଛୁ।
ଏହି ଟୂର୍ଣ୍ଣାମେଣ୍ଟ ୟୁନାଇଟେଡ୍ ଆରବ ଏମିରାଟ୍ସ(ୟୁଏଇ)ରେ ସେପ୍ଟେମ୍ବର ମାସରେ ହେବାର ଥିଲା। ପାକିସ୍ତାନ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜକ ଥିଲା, ମାତ୍ର ଭାରତ ପାକିସ୍ତାନ ଯିବାକୁ ମନା କରି ଦେଇଥିଲା। ଏହା ପରେ ଏହି ଟୂର୍ଣ୍ଣାମେଣ୍ଟର ଆୟୋଜନ ସ୍ଥଳ ପରିବର୍ତ୍ତନ ହୋଇଥିଲା। ଗାଙ୍ଗୁଲି ବିସିସିଆଇର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ, ଆଇସିସି ଦ୍ଵାରା ଚଳିତ ବର୍ଷ ଟି-୨୦ ବିଶ୍ଵକପ୍ ନିଷ୍ପତ୍ତି ହେବା ପରେ ଯାଇ ଆଇପିଏଲ ଆୟୋଜନ ହେବ କି ନାହିଁ ଜଣା ପଡିବ।










