ଭାରତୀୟଙ୍କ ଇ-ମେଲ୍ ଓ ମୋବାଇଲ୍ ଉପରେ ଉପରେ ଚୀନ୍ର ନଜର : ୨୪ କୋଟି ଲୋକଙ୍କ ମୋବାଇଲ୍ ହ୍ୟାକ୍,
ନୂଆଦିଲ୍ଲୀ:- ଭାରତ-ଚୀନ ସୀମା ବିବାଦ ପରେ ଏବେ ଚୀନ ହ୍ୟାକର୍ସ ଭାରତୀୟଙ୍କ ମୋବାଇଲ ଉପରେ କବ୍ଜା କରିବା ଆରମ୍ଭ କରିଛନ୍ତି | ଜୁନ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ୧୦ କୋଟି ଭାରତୀୟଙ୍କ ଇ-ମେଲ୍ ଓ ୨୪ କୋଟି ଲୋକଙ୍କ ମୋବାଇଲରେ ଧମକପୂର୍ଣ ମେସେଜ ପଠାଯାଇଥିବା କୁହାଯାଉଛି | ହ୍ୟାକର୍ସ କମ୍ପ୍ୟୁଟର ଓ ମୋବାଇଲ୍ ଜରିଆରେ ଡାଟା ଚୋରି ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗରେ ଲୋକଙ୍କୁ କଳାକନା ବୁଲାଇବା ପାଇଁ ଯୋଜନା କରୁଛନ୍ତି |
ସୂତ୍ର ଅନୁଯାୟୀ, ଏହିଭଳି ହ୍ୟାକିଙ୍ଗ୍ ମାମଲା ଏବେ ମଧ୍ୟ ଜାରି ରହିଛି | ବିଶେଷଜ୍ଞଙ୍କ କହିବାନୁଯାୟୀ, ଚାଇନା ଆପ୍ ଜରିଆରେ ହ୍ୟାକର୍ସ ଭାରତୀୟଙ୍କ ଇ-ମେଲ୍ ଓ ମୋବାଇଲ୍ ନମ୍ବର୍ ବାହାର କରିଛନ୍ତି | ମଧ୍ୟ ପ୍ରଦେଶ ପୋଲିସର ସାଇବର ସେଲ ଟିମ ସୂଚନା ଦେଇଛି ଯେ ହ୍ୟାକର୍ସ ବହୁ ସଂଖ୍ୟକ କରୋନା ସମ୍ବନ୍ଧିତ ମେସେଜ ପଠାଇଛନ୍ତି | ଲୋକଙ୍କୁ ନିଜ ଜାଲରେ ଫସାଇବା ପାଇଁ ପୁରସ୍କାର ତଥା ବମ୍ପର୍ ଲଟେରୀର ଲୋଭ ଦେଖାଇଛନ୍ତି | ଗୁଗଲ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ଜୁନ ୧୯ ତାରିଖରେ ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍ସି ଅର୍ଥାତ ସିଇଆରଟି ସାଇବର ହମଲା ନେଇ ନିଜ ୱେବସାଇଟରେ ସୂଚନା ଦେଇଥିଲେ |
ଏହି ମେସେଜ୍ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଅହମଦାବାଦ ଭଳି ସହରକୁ ପଠାଯାଇଥିଲା | ଏହିଭଳି ସାଇବର୍ ହମଲାରୁ ସାବଧାନ ରହିବାକୁ ମନ୍ତ୍ରାଳୟ ଲୋକଙ୍କୁ ଚେତାବନୀ ଦେଇଛି | ମନ୍ତ୍ରାଳୟ କହିଛି ଯେ ଯଦି ଆପଣଙ୍କ ମୋବାଇଲ କିମ୍ବା କମ୍ପ୍ୟୁଟରରେ କୌଣସି ଆପତ୍ତିଜନକ ମେସେଜ ଆସେ ତାହେଲେ ତାକୁ କ୍ଲିକ କିମ୍ବା ନ ଖୋଲିବାକୁ ସଚେତନ କରିଛି | ଏହାସହ ସେ କହିଛନ୍ତି ଯେ କୌଣସି ପରିଚିତଙ୍କ ଠାରୁ ଏହିଭଳି ମେସେଜର ସମ୍ପୂର୍ଣ ବିବରଣୀ ନେଇ ମେସେଜ ଖୋଲନ୍ତୁ | ସ୍ପାମ ଫିଲ୍ଟରକୁ ମଝିରେ ମଝିରେ ଅପଡେଟ କରନ୍ତୁ ଏବଂ ଫେକ ଇ-ମେଲକୁ ବ୍ଲକ କରିବାକୁ ମନ୍ତ୍ରାଳୟ ନିର୍ଦେଶ ଦେଇଛି |










