ୟୁଏନରେ ନିଯୁକ୍ତି ପାଇଲେ ଓଡିଆ ଝିଅ ବୈଶାଳୀ

ପୁରୀ:- ପୁଣି ବିଶ୍ୱ ଦରବାରରେ ଚମକିଲେ ଓଡିଆ । ଓଡିଆ ଝିଅ ବୈଶାଳୀ ମହାନ୍ତିଙ୍କୁ  ଜାତିସଂଘର ନୀତି ଅଧିକାରୀ ଭାବେ ଦାୟିତ୍ୱ ମିଳିଛି । ଗତ ୧ ତାରିଖରେ ସେ ଦାୟିତ୍ନ ଗ୍ରହଣ କରିଛନ୍ତି । ତେବେ ସେ ୨୦୧୬ରେ ବିଖ୍ୟାତ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୟୁଏନ ସିଭିଲ୍ ସର୍ଭିସରେ ଯୋଗ ଦେଇଥିଲେ । ବୈଶାଳୀ ୟୁଏନରେ ୨୦୧୮ ମସିହାରେ ଓଆଇଏମ୍ ଅଧିକାରୀ ଭାବେ ରୋହିଙ୍ଗ୍ୟାଙ୍କ ପାଇଁ କାମ କରୁଥିଲେ ।

ବୈଶାଳୀ ରାଜ୍ୟର ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାଧାବିନୋଦ ମହାନ୍ତି । ସେ ଜଣେ ପୂର୍ବତନ ମୁଖ୍ୟ ଯନ୍ତ୍ରୀ । ତାଙ୍କ ମାଆ ହେଲେ ଲେଖିକା ତଥା ସାମାଜିକ କର୍ମୀ ମାନସୀ ମହାନ୍ତି । ସେ ପୁରୀର ବ୍ଲେସଡ୍ ସେକ୍ରାମେଣ୍ଟ ସ୍କୁଲ ଓ ପରେ କିଟ୍ ଇଣ୍ଟରନାଶନାଲ୍ ସ୍କୁଲରୁ ପାଠ ପଢିଥିଲେ । ଏହାପରେ ସେ ଦିଲ୍ଲୀର ଶ୍ରୀରାମ କଲେଜରେ ଗ୍ରାଜୁଏସନ୍ ପାସ୍ କରିଥିଲେ ।

ତେବେ ବୈଶାଳୀଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟରରେ କହିଛନ୍ତି ଯେ, ବୈଶାଳୀଙ୍କୁ ୟୁଏନରେ ଦାୟିତ୍ୱ ମିଳିଥିବାରୁ ଧନ୍ୟବାଦ । ସେ ଭାରତୀୟ ମହିଳା ଭାବେ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *