ଚୀନ୍ ସୀମାରେ ଭାରତ ଯୁଦ୍ଧ ବିମାନ ମୁତୟନ
ନୂଆଦିଲ୍ଲୀ – ଚୀନ୍ ସହିତ ଲଦାଖର ଏଲ୍ଏସି (ପ୍ରକୃତ ନିୟନ୍ତ୍ରଣ ରେଖା)ରେ ଲାଗିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଭାରତ ସୀମାରେ ନିଜର ଏୟାର ଅପରେସନକୁ ଜୋର୍ଦାର କରିଛି । ପୂର୍ବରୁ ଭାରତୀୟ ବାୟୁସେନା ସୀମା ସଂଲଗ୍ନ ବିମାନଘାଟିରେ ଯୁଦ୍ଧବିମାନ ମୁତୟନ କରିସାରିଛି । ଆଜି ସେହି ସବୁ ବିମାନଘାଟିରୁ ସୁଖୋଇ-୩୦ ଏମ୍କେଆଇ ଓ ମିଗ-୨୯ ଯୁଦ୍ଧବିମାନ ସହିତ ଆପାଚେ ଓ ଚିନୁକ ଲଢ଼ୁଆ ହେଲିକପ୍ଟରକୁ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଉଡାଣ ଭରିଥିବା ଦେଖିବାକୁ ମିଳିଛି ।
ଭାରତ ଏଥିରୁ ଚୀନକୁ ସ୍ପଷ୍ଟ ସନ୍ଦେଶ ଦେଇଛି କି କୌଣସି ପରିସ୍ଥିତିରେ ସୀମାକୁ ନେଇ ସାଲିସ କରିବାର ପ୍ରଶ୍ନ ଉଠୁନାହିଁ । ବାୟୁସେନାର ପରିବହନ ବିମାନ ଓ ହେଲିକପ୍ଟର ଯୋଗେ ବିଭିନ୍ନ ଫରୱାର୍ଡ ବେସ୍କୁ ସୈନିକ ଓ ସାଜ ସରଞ୍ଜାବ ପରିବହନ କରୁଛି । ଲଦାଖ ସୀମାନ୍ତବର୍ତ୍ତୀ ଫରୱାର୍ଡ ବେସ୍ରେ ସୁଖୋଇ ଓ ମିଗ୍ ସମେତ ଜାଗୁଆର ଓ ମିରାଜ-୨୦୦୦ ଯୁଦ୍ଧବିମାନ ମୁତୟନ କରାଯାଇଛି ।
ସେହିସବୁ ଯୁଦ୍ଧବିମାନରେ ମିସାଇଲ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ରହିଛି । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଯୁଦ୍ଧବିମାନ ସହାୟତାରେ ଶତ୍ରୁପକ୍ଷର ପ୍ରତିଟି କାର୍ଯ୍ୟ ଉପରେ କଡା ନଜର ରଖାଯାଇଛି । ଚିନୁକ ହେଲିକପ୍ଟର ସହାୟତାରେ ଫରୱାର୍ଡ ବେସ୍ରେ ମୁତୟନ ସୈନିକମାନଙ୍କ ନିକଟକୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଉଛି । ସେହିଭଳି ଏମ୍ଆଇ-୧୭ ବି୫ ହେଲିକପ୍ଟରକୁ ମଧ୍ୟ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି ।ସ୍ଥଳସେନାକୁ ସହାୟତା କରିବା ଲାଗି ଆମେରିକାରୁ ଆସିଥିବା ଆପାଚେ ଲଢ଼ୁଆ ହେଲିକପ୍ଟର ଲଦାଖ ସୀମାରେ ମୁତୟନ କରାଯାଇଛି । ପାହାଡିଆ ଅଞ୍ଚଳରେ ଯୁଦ୍ଧ ପାଇଁ ଆପାଚେ ହେଲିକପ୍ଟରକୁ ବେଶ୍ ପ୍ରଭାବି ବୋଲି ବିବେଚନା କରାଯାଉଛି । ଏଲ୍ଏସିରେ ନିୟୋଜିତ ଜଣେ ସ୍କ୍ୱାଡ୍ରନ ଲିଡରଙ୍କ କହିବାନୁଯାୟୀ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇରହିଛି ।