ଜୁଲାଇ ୩୧ ଯାଏଁ ବାହାର ଶ୍ରମିକଙ୍କୁ ରାଜଧାନୀ ମନା
ଭୁବନେଶ୍ବର:-ଅନ୍ୟ ରାଜ୍ୟରୁ ଆସି ଭୁବନେଶ୍ୱରରେ ଥିବା ଶ୍ରମିକ ଅଧିକ ସଂଖ୍ୟାରେ ପଜିଟିଭ୍ ବାହାରୁଛନ୍ତି । ଶୁକ୍ରବାର ସୁଦ୍ଧା ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏକ ବିଲ୍ଡିଂରେ ଥିବା ୩୪ଶ୍ରମିକ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହାକୁ ଦୃଷ୍ଟିରେ ରଖି ବାହାର ରାଜ୍ୟର ଶ୍ରମିକଙ୍କୁ ରାଜଧାନୀ ଆସିବାକୁ ମନା କରାଯାଇଛି । ଏ ନେଇ ବିଏମ୍ସି ଆଜି ନିର୍ଦ୍ଦେଶନାମା ଜାରି କରିଛି । କୌଣସି ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ, ନିର୍ମାଣ ସଂସ୍ଥା, ହୋଟେଲ ଏବଂ ଉଭୟ ସରକାରୀ ବା ବେସରକାରୀ ଠିକାଦାର ବାହାର ରାଜ୍ୟର ଶ୍ରମିକଙ୍କୁ ରାଜଧାନୀକୁ ନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୩୧ ଯାଏ ଏହି କଟକଣା ଲାଗୁ ହେବ ।
ଯେଉଁ ଶ୍ରମିକମାନେ ଏହି ବିଜ୍ଞପ୍ତି ପ୍ରକାଶ ଭିତରେ ସହରକୁ ଆସିଯାଇଥିବେ ସେମାନେ ୧୪ଦିନିଆ କ୍ୱାରେଣ୍ଟାଇନ୍ରେ ରହିବେ । ଯଦି କାହାର ଲକ୍ଷଣ ବାହାରେ ତେବେ ସେମାନଙ୍କୁ ଆଣିଥିବା ସଂସ୍ଥା ନେଇ ନିଜସ୍ୱ ଖର୍ଚ୍ଚରେ ପରୀକ୍ଷା କରାଇବେ । ତେବେ ଖାଲି ରାଜ୍ୟ ବାହାର ନୁହେଁ, ରାଜ୍ୟର ହଟସ୍ପଟ୍ ଜିଲ୍ଲାରୁ ମଧ୍ୟ କୌଣସି ଶ୍ରମିକଙ୍କୁ ଭୁବନେଶ୍ୱର ଆଣିବାକୁ ମନା କରାଯାଇଛି । ଗଞ୍ଜାମ, ଗଜପତି, ବାଲେଶ୍ୱର, କଟକ, ଯାଜପୁର ଜିଲ୍ଲାରୁ କୌଣସି କର୍ମଚାରୀ ବା ଶ୍ରମିକଙ୍କୁ ଜୁଲାଇ ୩୧ ଭିତରେ ଭୁବନେଶ୍ୱର ନ ଆଣିବାକୁ କୁହାଯାଇଛି । ତେବେ ଅନ୍ୟ ଜିଲ୍ଲାରୁ ଶ୍ରମିକଙ୍କୁ ଅଣାଯାଇପାରିବ ବୋଲି ଓ କ୍ୱାରେଣ୍ଟାଇନ୍ରେ ରହିବା ପରେ କାମ କରିପାରିବେ ବୋଲି ବିଏମ୍ସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।