ଚାକିରିରେ ଯୋଗ ଦେବାର ଦୁଇ ଦିନ ପୂର୍ବରୁ ଭୁବନେଶ୍ୱରରେ ଆତ୍ମହତ୍ୟା କଲେ OFS ଅଧିକାରୀ

ଭୁବନେଶ୍ୱର: ଚାକିରିରେ ଯୋଗ ଦେବାର ଦୁଇ ଦିନ ପୂର୍ବରୁ ଜଣେ ଓଡ଼ିଶା ଫାଇନାନ୍ସ ସର୍ଭିସ (ଓଏଫଏସ) ଅଧିକାରୀ ଭୁବନେଶ୍ୱରରେ ଥିବା ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଅଭିଳାଷ ସ୍ୱରୂପ ମହାପାତ୍ର ନାମକ ଏହି ଅଧିକାରୀ ବେକରେ ନିଜ ପତ୍ନୀଙ୍କ ଓଢ଼ଣୀ ଗୁଡାଇ ଆତ୍ମହତ୍ୟା କରିଛନ୍ତି l

ଅଭିଳାଷଙ୍କ ଘର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ l ସେ ଭୁବନେଶ୍ଵରର ଡୁମଡୁମା ଫେଜ ୪ରେ ରହୁଥିଲେ l ସୋମବାର ସକାଳେ ଭୁବନେଶ୍ଵର ଟ୍ରେଜେରିରେ ସେ ଚାକିରିରେ ଯୋଗ ଦେଇଥାନ୍ତେ l କିନ୍ତୁ ଶନିବାର ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିବା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି l

ଗତ ବର୍ଷ ଜୁନ ୩୦ରେ ଅଭିଳାଷ ଓଡ଼ିଶା ଫାଇନାନ୍ସ ସର୍ଭିସରେ ଯୋଗ ଦେଇଥିଲେ l ତା’ ପୂର୍ବରୁ ସେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଚାକିରି କରିଥିଲେ l ତାଙ୍କର ୫ ବର୍ଷର ଗୋଟିଏ ଝିଅ ଓ ଦୁଇ ମାସର ଗୋଟିଏ ଶିଶୁ ପୁତ୍ର ଅଛି l ପତ୍ନୀ ପୁଣ୍ୟତୋୟା ପ୍ରିୟମ୍ବଦା ରାଜ୍ୟ ଉଦ୍ୟାନ ବିଭାଗରେ ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ଅଛନ୍ତି l ଉଭୟ ଅଭିଳାଷ ଓ ପୁଣ୍ୟତୋୟା ଭୁବନେଶ୍ଵର ଓୟୁଏଟିରେ ପାଠ ପଢୁଥିଲେ l ଉଭୟଙ୍କର ପ୍ରେମ ବିବାହ ହୋଇଥିଲା l

ଆଜି ଅଭିଳାଷ ଓଏଫଏସ ଅଫିସର୍‌ ଭାବେ ଭୁବନେଶ୍ଵର ଟ୍ରେଜେରିରେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ l କିନ୍ତୁ ଠିକ୍‌ ଦିନକ ପୂର୍ବରୁ ସେ ଆତ୍ମହତ୍ୟା କରିବା ଘଟଣା ତାଙ୍କ ପରିବାର ଓ ସହପାଠୀମାନଙ୍କୁ ଗଭୀର ଦୁଃଖ ଦେଇଛି । ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ତାଙ୍କ ବାପା ଚିନ୍ତାମଣି ମହାପାତ୍ର l

ଚିନ୍ତାମଣି କହିଛନ୍ତି, ‘‘ପୋଲିସ ତଦନ୍ତ କରୁଛି । ସତ୍ୟ ଜଲଦି ସାମନାକୁ ଆସିବ ।’’

ଶନିବାର ଭୁବନେଶ୍ଵରରେ ସଟଡାଉନ ଥିବାରୁ ସ୍ୱାମୀ ଓ ସ୍ତ୍ରୀ ଘରେ ଥିଲେ l ଅଭିଳାଷଙ୍କ ଘରେ ରହୁଥିବା ଭଡ଼ାଟିଆ ଉତ୍ତମ ସାହୁ କହିଛନ୍ତି, ‘‘ହଠାତ କଣ ହେଲା କେଜାଣି ସନ୍ଧ୍ୟା ସାଢେ ୬ଟା ବେଳେ ପୁଣ୍ୟତୋୟା ଚିତ୍କାର କରି ପାଖ ପଡୋଶୀ ଓ ଭଡ଼ାଟିଆଙ୍କୁ ଡାକିଥିଲେ l ଅଭିଳାଷ ବେଡ଼ରୁମ ଭିତର ପଟୁ ଲକ କରି ଦେଇଥିଲେ l ବାରମ୍ଵାର ଡାକିଲେ ବି କବାଟ ନ ଖୋଲିବାରୁ ପୁଣ୍ୟତୋୟା ଓ ପାଖ ପଡୋଶୀ ଲୋକେ କବାଟ ଭାଙ୍ଗିଥିଲେ l ଅଭିଳାଷ ଫ୍ୟାନରେ ଝୁଲୁଥିବା ଦେଖି ତାଙ୍କୁ ଓହ୍ଲାଇ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ।’’

‘‘ଆତ୍ମହତ୍ୟା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ିନି l କିନ୍ତୁ ପାରିବାରିକ ଝଗଡ଼ା ଆତ୍ମହତ୍ୟାର ଏକ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି l ଘର ସର୍ଚ୍ଚ ବେଳେ ସେଭଳି କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ l ପୂଣ୍ୟତୋୟା ଙ୍କୁ ପଚରାଉଚରା କରିବା ପରେ ତଥ୍ୟ ସାମନାକୁ ଆସିବ,’’ କହିଛନ୍ତି ଭୁବନେଶ୍ଵର ଡିସିପି ଅନୁପ ସାହୁ ।

ଉଭୟ ଅଭିଳାଷ ଓ ତାଙ୍କ ସ୍ତ୍ରୀ ସରକାରୀ ଚାକିରି କରୁଥିଲେ l ଅର୍ଥର ଅଭାବ ନ ଥିଲା l ତଥାପି କାହିଁକି ଅଭିଳାଷ ଆତ୍ମହତ୍ୟା କଲେ ତାହା ଏବେ ସସପେନ୍ସ ଭିତରେ ରହିଛି l

Leave a Reply

Your email address will not be published. Required fields are marked *