ଉଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କୁ ମାସକ ପାଇଁ ସର୍ତ୍ତମୂଳକ ଜାମିନ
କଟକ:-୬ବର୍ଷ ୯ମାସ ଜେଲ୍ରେ ବନ୍ଦୀ ଜୀବନ କଟାଇବା ପରେ ବହୁଚର୍ଚ୍ଚିତ କେନ୍ଦୁଝର ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ହାଇକୋର୍ଟରୁ ଆଜି ଅନ୍ତରୀଣ ଜାମିନ୍ ମିଳିଛି । ଅଦାଲତ ତାଙ୍କୁ ମାସକ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ପ୍ରଦାନ କରିଛନ୍ତି । ଏଥିପାଇଁ ହାଇକୋର୍ଟ କେତେକ ସର୍ତ୍ତ ରଖିଛନ୍ତି । ଅଭିଯୁକ୍ତ ଶ୍ରୀ ଗୁପ୍ତା ଦେଶର ଯେକୌଣସି ଜାତୀୟକରଣ ବ୍ୟାଙ୍କ୍ରେ ୧ କୋଟି ଟଙ୍କା ଜମା ରଖିବେ । ଏଥିସହ ୨କୋଟି ଟଙ୍କାର ଦୁଇ ଜଣ ଜାମିନ୍ଦାର ଦେଇ ବଦଳରେ ଜାମିନ୍ରେ ଯିବେ । ପୁଣି, ଜାମିନ୍ରେ ଥିବାବେଳେ ଅଦାଲତଙ୍କ ଅନୁମତି ବିନା ବାହାରକୁ ଯିବେ ନାହିଁ ।
ଅଭିଯୁକ୍ତ ଜାମିନ୍ରେ ଯିବା ପରେ କେଉଁ ଅଞ୍ଚଳରେ ରହିବେ ଉକ୍ତ ଅଞ୍ଚଳର ଠିକଣା ଏବଂ ଫୋନ୍ ନମ୍ବର ଭିଜିଲାନ୍ସ ବିଭାଗରେ ଦାଖଲ କରିବେ । ଅଭିଯୁକ୍ତ ତାଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବେ ନାହିଁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଯଦି ଅଭିଯୁକ୍ତଙ୍କର ପାସ୍ପୋର୍ଟ ଥାଏ ତାହେଲେ ଏହାକୁ ଟ୍ରାଏଲ୍ କୋର୍ଟରେ ଦାଖଲ କରିବେ । ଯଦି ପାସ୍ପୋର୍ଟ ନଥାଏ ତାହେଲେ ସେ ସଂକ୍ରାନ୍ତରେ ଏକ ସତ୍ୟପାଠ ନିମ୍ନ ଅଦାଲତରେ ଦାଖଲ କରିବେ । ଅନ୍ତରୀଣ ଜାମିନ୍ ଅବଧି ସରିବା ପରେ ନିମ୍ନ ଅଦାଲତରେ ସେ ହାଜର ହେବେ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।
ନିମ୍ନ ଅଦାଲତରେ ଚାଲିଥିବା ଏହି ମାମଲାର ଶୁଣାଣି ପ୍ରକ୍ରିୟାକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୨୦୧୯ ଅଗଷ୍ଟ ୭ରେ ହାଇକୋର୍ଟ ଦୀପକ ଗୁପ୍ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିବା ଅବସରରେ ନିମ୍ନ ଅଦାଲତଙ୍କୁ ମାମଲାର ତ୍ୱରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତିଦିନ ମାମଲାର ଶୁଣାଣି କରାଯିବା ପାଇଁ ସେତେବେଳେ କୁହାଯାଇଥିଲା । କିନ୍ତୁ ପୂର୍ବ ଆଦେଶରୁ ବର୍ତ୍ତମାନ ସମୟ ମଧ୍ୟରେ ପ୍ରାୟ ଦୁଇ ବର୍ଷ ଭିତରେ ନିମ୍ନ ଅଦାଲତରେ ଶୁଣାଣି ପାଇଁ ମାତ୍ର ୧୨ଟି ତାରିଖ ସ୍ଥିର ହୋଇଛି । ୮ଜଣ ସାକ୍ଷୀଙ୍କୁ ଜେରା କରାଯାଇଛି । ଯାହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ହାଇକୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି, ନିମ୍ନ ଅଦାଲତରେ ଶୁଣାଣି ସମୟରେ ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ଶୁଣାଣି ଘୁଞ୍ଚାଇବା ପାଇଁ କେବେ ଆବେଦନ କରାଯାଇ ନାହିଁ । ତେଣୁ ନିମ୍ନ ଅଦାଲତରେ ମାମଲାର ଶୁଣାଣିରେ ବିଳମ୍ବ ପାଇଁ ଅଭିଯୁକ୍ତ କୌଣସି ପ୍ରକାରେ ଦାୟୀ ନୁହଁନ୍ତି । ଏପରି ସ୍ଥିତିରେ ମାମଲାର ଶୁଣାଣି କଛପ ଗତିରେ ଚାଲୁଥିବାରୁ ହାଇକୋର୍ଟ ଆବେଦନକାରୀଙ୍କୁ ଅନ୍ତରୀଣ ଜାମିନ୍ ଦେବା ଲାଗି ରାଜି ହୋଇଛନ୍ତି ବୋଲି ରାୟରେ ଉଲ୍ଲେଖ କରିଛନ୍ତି ।