ଆସୁଛି ବାତ୍ୟା ‘ଅମ୍ଫାନ’‌: ସାମୁଦ୍ରିକ ଥାନା ସଜାଗ ରହିବାକୁ ତଟରକ୍ଷୀ ଏଡିଜିଙ୍କ ନିର୍ଦ୍ଦେଶ

କଟକ,:-ବାତ୍ୟା ଅମ୍ଫାନ‌ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ହେବାର ଆଶଙ୍କା ରହିଛି । ଏଥିସହ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଥାନାଗୁଡ଼ିକୁ ସଜାଗ ରଖିବାକୁ କୋଷ୍ଟାଲ୍‌ ସିକ୍ୟୁରିଟି ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଜିଲ୍ଲା ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜୁଳି ସରବରାହ ବିଚ୍ଛିନ୍ନ ହେବାର ଆଶଙ୍କା ଥିବାରୁ ବିକଳ୍ପ ଆଲୋକ ବ୍ୟବସ୍ଥା, ପାଣି ଆଦି ମହଜୁଦ ରଖିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ସାଧନ ମହଜୁଦ ରଖିବା ଲାଗି ଏଡିଜି ପରାମର୍ଶ ଦେଇଛନ୍ତି । ବୋଟ୍‌ଗୁଡ଼ିକର ସୁରକ୍ଷା ଦିଗରେ ଦୃଷ୍ଟି ଦେବାକୁ ଏଡିଜି ନିର୍ଦ୍ଦେଶ ଦେଇଛନ୍ତି । ସାମୁଦ୍ରିକ ଥାନାଗୁଡ଼ିକ ଏସବୁ ଦିଗ ଉପରେ ଧ୍ୟାନ ଦେବାକୁ କୋଷ୍ଟାଲ୍‌ ସିକ୍ୟୁରିଟି ଅଧିକାରୀ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଆଦି ପୁଲିସ୍‌ ଜିଲ୍ଲାର ଏସ୍‌ପିମାନଙ୍କୁ ଲିଖିତ ନିର୍ଦ୍ଦେଶନାମା ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୧୮ଟି ସାମୁଦ୍ରିକ ଥାନା ରହିଛି । ଅନ୍ୟ ଥାନା ତୁଳନାରେ ସାମୁଦ୍ରିକ ଥାନାଗୁଡ଼ିକର ଭିତ୍ତିଭୂମି ଅତି ଦୁର୍ବଳ ରହିଛି । କର୍ମଚାରୀ ସଂଖ୍ୟା କମ ଥିବାରୁ ଜରୁରି ସମୟରେ ଲୋକଙ୍କୁ ସ୍ଥାନାନ୍ତର କରିବା ଓ ତଟରେ ପାଟ୍ରୋଲିଂ ଆଦି କରିବାରେ ସମସ୍ୟା ଉପୁଜିଥାଏ । ତେଣୁ ପ୍ରତି କର୍ମଚାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେବା ସହ ଜରୁରି ସମୟରେ ମୁକାବିଲା ଲାଗି ପ୍ରସ୍ତୁତି ରହିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *