ରଥଯାତ୍ରା ପାଇଁ ଡିଜିଙ୍କ କଟକଣା: ଡ୍ୟୁଟି ନଥିଲେ ପୁରୀ ଯିବେନି ପୁଲିସ କର୍ମଚାରୀ
କଟକ,:-ରଥଯାତ୍ରା ଡ୍ୟୁଟି ନଥିଲେ କୌଣସି ପୁଲିସ ଅଧିକାରୀ କିମ୍ବା କର୍ମଚାରୀ ପୁରୀ ଯାଇପାରିବେ ନାହିଁ । ଏକୁଟିଆ ହେଉ ଅବା ପରିବାର ସହ³ ଏପରିକି ଅଫିସିଆଲ୍ କାମ ଥିଲେ ମଧ୍ୟ ପୁରୀ ଯିବା ମନା । କେବଳ ଜରୁରି ପରିସ୍ଥିତିରେ ପୁଲିସ ମୁଖ୍ୟାଳୟର ସ୍ୱତନ୍ତ୍ର ଅନୁମତି କ୍ରମେ ପୁଲିସ ଅଧିକାରୀ ଓ କର୍ମଚାରୀ ପୁରୀ ଯାଇପାରିବେ । ରାଜ୍ୟ ତମାମ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଏଭଳି କଟକଣା ଜାରି କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ(ଡିଜି) ଶ୍ରୀ ଅଭୟ । ରଥଯାତ୍ରା ଡ୍ୟୁଟି ନଥାଇ ମଧ୍ୟ କିଛି ପୁଲିସ କର୍ମଚାରୀ ପୁଲିସ ପୋଷାକରେ ରଥ ନିକଟରେ ବୁଲିବା ଫଟୋ ଭାଇରାଲ୍ ହେବା ପରେ ଏଭଳି କଟକଣା ଜାରି କରିଛନ୍ତି ଡିଜି ।
ଭକ୍ତ ବିନା ରଥଯାତ୍ରା ନେଇ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ରଥଯାତ୍ରା ବେଳେ ପୁରୀରେ କର୍ଫ୍ୟୁ ଘୋଷଣା ସହ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା । ଏପରିକି ଗୁଣ୍ଡିଚା ଯାତ୍ରା ସମୟରେ ପୁରୀ ନଆସିବା ପାଇଁ ମଧ୍ୟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । କଟକଣା ସତ୍ତେ୍ୱ ବିନା ଡ୍ୟୁଟିରେ କିଛି ପୁଲିସ୍ କର୍ମଚାରୀ ରଥଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଅତୀତରେ ଲକ୍ଡାଉନ୍ କଟକଣା ସତ୍ତେ୍ୱ ଜଣେ ପୁଲିସ ଆଇଆଇସି ପରିବାର ସହ ଶ୍ରୀମନ୍ଦିର ଯିବା ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । ଏଭଳି ଘଟଣା ପୁଲିସର ଭାବମୂର୍ତ୍ତି କ୍ଷୁଣ୍ଣ କରୁଥିବାରୁ ଡିଜି ଆଜି ରାଜ୍ୟତମାମ ପୁଲିସ ଉପରେ ପୁରୀ ଯିବା ନେଇ କଟକଣା ଜାରି କରିଛନ୍ତି ।
ବର୍ତ୍ତମାନ ସ୍ଥିତିରେ ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦାୟିତ୍ୱ୍ୱ ପୁଲିସ ପାଖରେ ଅଛି । ତେଣୁ ବାହାର ଅଞ୍ଚଳର ପୁଲିସ କର୍ମଚାରୀ ଓ ଅଧିକାରୀ ପୁରୀରେ ପଶିବା ଦ୍ୱାରା ଜନସାଧାରଣଙ୍କୁ ଭୁଲ ବାର୍ତ୍ତା ଯାଉଛି । ଏହି କଟକଣା ଆସନ୍ତା ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ଯଦି କୌଣସି ପୁଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କ ଅତିଜରୁରି ଅଫିସିଆଲ୍ କାମ ପୁରୀରେ ଥାଏ, ଏସଂପର୍କରେ ସଂପୃକ୍ତ ଅଧିକାରୀ ବା କର୍ମଚାରୀ ପ୍ରଥମେ ଏଡିଜି (ଲ’ ଆଣ୍ଡ୍ ଅର୍ଡର)ଙ୍କୁ ଅବଗତ କରିବେ ।