ଭାରତ ପରେ ଏବେ ଜାପାନ ଟାର୍ଗେଟ ଚୀନ୍ : ସୀମାରେ ବାଲିଷ୍ଟିକ୍‌ ମିସାଇଲ ମୁତୟନ କଲା

ଟୋକିଓ,:-ସମଗ୍ର ବିଶ୍ୱ କରୋନା ସଂକ୍ରମଣର ମୁକାବିଲା କରିବାରେ ବ୍ୟସ୍ତ ଥିଲାବେଳେ ଚୀନ୍‌ କିନ୍ତୁ ଏହି ପରିସ୍ଥିତିର ଫାଇଦା ଉଠାଇ ବିଭିନ୍ନ ଦେଶର ଅଞ୍ଚଳ ଉପରେ କବ୍‌ଜା କରିବା ସହିତ ନିଜର ରାଜନୈତିକ ଓ ସାମରିକ ପ୍ରଭାବ ବୃଦ୍ଧି କରିବା ପାଇଁ ଚାହୁଁଛି । ହଂକଂ ପାଇଁ ନୂଆ ସୁରକ୍ଷା ଆଇନ ପ୍ରଣୟନ କରିବା, ତାଇୱାନର ବାୟୁସୀମା ଭିତରେ ଚୀନ୍‌ର ଯୁଦ୍ଧବିମାନ ବାରମ୍ବାର ପ୍ରବେଶ କରିବା, ଜାପାନର ଦ୍ୱୀପ ନିକଟରେ ଚୀନ୍‌ ଦ୍ୱାରା ଯୁଦ୍ଧଜାହାଜ ମୁତୟନ କରାଯିବା ଏବଂ ଭାରତର ଲଦାଖରେ ସଂଘର୍ଷ କରିବା ଆଦି ଏହାର ଗୋଟିଏ ଗୋଟିଏ ଉଦାହରଣ ।

ତେବେ ଭାରତର ଲଦାଖରେ ଚୀନ୍‌ ଯେପରି ଅକସ୍ମାତ୍‌ ଭାବେ ସୀମା ବିବାଦ ସୃଷ୍ଟି କରି ରକ୍ତପାତ ଘଟାଇଛି, ତାହା ଏବେ ଅନ୍ୟ ଦେଶମାନଙ୍କୁ ସତର୍କ କରିଦେଇଛି । ତେଣୁ ସେମାନେ ବି ଚୀନ୍‌ର ଏଭଳି ଆଭିମୁଖ୍ୟର ସମ୍ମୁଖୀନ ହେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଜାପାନ ଏବେ ଚୀନ୍‌କୁ ଲକ୍ଷ୍ୟ କରି ନିଜ ଦେଶର ସୀମାରେ ବାଲିଷ୍ଟିକ୍‌ ମିସାଇଲ ମୁତୟନ କରିଛି । ଜାପାନ ମଧ୍ୟ ନିଜର ସୀମାରେ ଅତିରିକ୍ତ ସୈନିକ ନିୟୋଜିତ କରିଛି । ଏହାସହିତ ଜାପାନ ସରକାର ନିଜର ବାୟୁ ସୁରକ୍ଷା ପ୍ରଣାଳୀ ଆହୁରି ମଜଭୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ଜାପାନ ନିଜର ୪ଟି ସାମରିକ ଘାଟିରେ ଚଳିତ ମାସ ସୁଦ୍ଧା ଆମେରିକା ନିର୍ମିତ ପାର୍ଟିଅଟ ପିଏସି-୩ ଏମଏସଇ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ମୁତୟନ କରିବ । ଜାପାନ ପୂର୍ବରୁ ଯେଉଁ ପାଟ୍ରିଅଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରୁଛି, ତାହା ୭୦ କିମି ଦୂରତାରେ ଶତ୍ରୁର ବିମାନ, ଡ୍ରୋନ ଓ ମିସାଇଲ ଆଦିକୁ ନଷ୍ଟ କରିବାରେ ସକ୍ଷମ ଅଟେ। କିନ୍ତୁ ଏବେ ଜାପାନ ପାର୍ଟ୍ରିଅଟ ମିସାଇଲର ଯେଉଁ ସଂସ୍କରଣ ମୁତୟନ କରିବାକୁ ଯାଉଛି, ତାହାର ରେଞ୍ଜ ହେଉଛି ୧୦୦ କିମି । ଏହା ସାହାଯ୍ୟରେ ଚୀନ୍‌ର ଆକ୍ରମଣକୁ ପ୍ରତିହତ କରିପାରିବ ବୋଲି ଜାପାନ ମନେ କରୁଛି ।

Leave a Reply

Your email address will not be published. Required fields are marked *