୨୫ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ
ସମ୍ବଲପୁର:- ହୀରାକୁଦ ବନ୍ଧରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ୨୫ ତାରିଖରେ ମହାନଦୀକୁ ଛଡ଼ାଯିବ। ଏନେଇ ଆଜି ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ଜାରି ହୋଇଛି । ସଠିକ୍ ସମୟରେ ମୌସୁମୀ ଆସି ଭଲ ବର୍ଷା ହୋଇଥିବାରୁ ହୀରାକୁଦର ଜଳସ୍ତର ଆଜି ୬୧୫ ଫୁଟ୍ ଅତିକ୍ରମ କରିସାରିଛି । ରୁଲ୍ କର୍ଭ ଅନୁଯାୟୀ, ଜୁଲାଇ ୧ ତାରିଖ ସୁଦ୍ଧା ସର୍ବନିମ୍ନ ୫୯୫ ଫୁଟ୍ ରହିବା କଥା । ହେଲେ ଜଳଭଣ୍ଡାରରେ ବର୍ତ୍ତମାନ ୨୦ ଫୁଟ୍ ଅଧିକ ପାଣି ଥିବାରୁ ଜଳ ନିଷ୍କାସନ ଜରୁରୀ। ବନ୍ୟାଜଳ ନିଷ୍କାସନ ପାଇଁ ତଳମୁଣ୍ଡରେ ସତର୍କତା ସୂଚନା ଜାରି କରାଯାଇଛି । ବିନା ଲଘୁଚାପରେ କିଛିଦିନ ହେଲା ହୀରାକୁଦର ଉପରମୁଣ୍ଡରେ ଭଲ ବର୍ଷା ହୋଇଛି । ଏପରିକି କ୍ରମାଗତ ୫ ଦିନ ଧରି ହାରାହାରି ୨୦ରୁ ୫୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇଆସିଛି ।
ରବିବାର ସନ୍ଧ୍ୟାରୁ ଗତକାଲି ମଧ୍ୟରେ ୨୪ ଘଣ୍ଟାରେ କୁଚିଣ୍ଡାରେ ୧୯୫ ମିମି ବର୍ଷା ହେବାରୁ ଭେଡେନ୍ ନଦୀ ଫୁଲି ଉଠିଥିଲା । ଗତକାଲି ହୀରାକୁଦକୁ ୧ ଲକ୍ଷ ୪ ହଜାର କ୍ୟୁସେକ୍ ପାଣି ଆସିଥିବା ବେଳେ ସେଥିରୁ କେବଳ ଭେଡେନ୍ ନଦୀର ପାଣି ପ୍ରାୟ ୭୭ ହଜାର କ୍ୟୁସେକ୍ ଥିଲା । ଫଳରେ ହୀରାକୁଦ ଜଳସ୍ତର କ୍ରମାଗତ ବୃଦ୍ଧି ପାଇ ଆଜି ରାତି ୮ଟା ସୁଦ୍ଧା ୬୧୫.୦୨ ଫୁଟ୍ରେ ପହଞ୍ଚିସାରିଛି । ଆଜି ସକାଳେ ମଧ୍ୟ ଜଳଭଣ୍ଡାରକୁ ୧ ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ରାତି ୮ଟା ସୁଦ୍ଧା ଏହା ୬୮୮୯୯ କ୍ୟୁସେକ୍କୁ ହ୍ରାସ ପାଇଛି ।