ଭାରତ-ଚୀନ ମଧ୍ୟରେ ବଢୁଛି ଯୁଦ୍ଧ ଆଶଙ୍କା, ସେନାକୁ 500 କୋଟି ଟଙ୍କାର ଜରୁରିକାଳୀନ ପାଣ୍ଠି ପ୍ରଦାନ କଲେ ସରକାର

ନୂଆଦିଲ୍ଲୀ:-ଚୀନ୍ ଓ ଭାରତ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ରକ୍ତାକ୍ତ ସଂଘର୍ଷ ପରଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଛି । ତେଣୁ ଚୀନ୍ କୁ ଉଚିତ୍ ଜବାବ୍ ଦେବାକୁ ଭାରତୀୟ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି। ଯୁଦ୍ଧ ପରିସ୍ଥିତି ପାଇଁ ଆବଶ୍ୟକ ହେବାକୁ ଥିବା ସାମଗ୍ରୀ ଅସ୍ତ୍ରଶସ୍ତ୍ର ମଧ୍ୟ କିଣିବାକୁ ଆଜି ଉଚ୍ଚ ସ୍ତରୀୟ ବୈଠକରେ ୫୦୦ କୋଟି ଟଙ୍କାର ଏମର୍ଜେନ୍ସିଂ ଫଣ୍ଡ ମଞ୍ଜୁର କରାଯାଇଛି ।

ଗଲୱାନ ଘାଟିରେ ଦୁଇ ଦେଶ ମଧ୍ୟରେ ବିବାଦକୁ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  ଉଚ୍ଚସ୍ତରୀୟ ବୈଠକ କରିଥିଲେ।

ବର୍ତ୍ତମାନ ଲଦାଖରେ ବାସ୍ତବ ସ୍ଥିତିର ସମୀକ୍ଷା କରାଯାଇଛି । ଆଗାମୀ ପରିସ୍ଥିତିକୁ ନଜରରେ ରଖି ଚୀନ୍ କୁ କଡ଼ା ଜବାବ୍ ଦେବାକୁ ସେନା କିପରି ପ୍ରସ୍ତୁତି କରିବା ଆବଶ୍ୟକ ଏହି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି ।ନରେନ୍ଦ୍ର ମୋଦୀ ସରକାର ଜରୁରୀକାଳୀନ ଆବଶ୍ୟକତା ପକ୍ରିୟା ଅନୁସାରେ ଅସ୍ତ୍ରଶସ୍ତ୍ର  କିଣିବା ପାଇଁ ୩ ସେନାର ଆର୍ଥିକ ଅଧିକାର ପ୍ରଦାନ କରିଛନ୍ତି। ଏବେ ଏହି ଶକ୍ତି ଅନୁସାରେ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନୂଆ ହତିଆର କିଣି ପାରିବେ। ଆଜି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଚିଫ୍ ଅଫ୍ ଡିଫେନ୍ସ ଜେନେରାଲ ବିପିନ୍ ରାୱତ୍ , ତିନି ସେନାର ମୁଖ୍ୟ ସାମିଲ ଥିଲେ ।

ଗତ ୧୫ ତାରିଖ ରାତିରେ ଗଲୱନ୍ ଘାଟିରେ ଚୀନ୍ ସେନା ଓ ଭାରତୀୟ ସେନାର ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ୨୦ ଭାରତୀୟ  ଯବାନ ସହିଦ୍ ହୋଇଥିଲେ । ଏହା ପରେ ସ୍ଥିତି ସାମାନ୍ୟ କରିବାକୁ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଅଧିକାରୀ ସ୍ତରୀୟ ଆଲୋଚନା ମଧ୍ୟ ହୋଇଛି । ଘଟଣା ପରେ ପରେ ପ୍ରତିରକ୍ଷା ମନ୍ତ୍ରୀ ସେନା ମୁଖ୍ୟଙ୍କ ସହିତ ଏକାଧିକ ଥର ଆଲୋଚନା କରିଛନ୍ତି । ଲଦାଖରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହିଂସାକାଣ୍ଡ ପରେ ଭାରତ ଏବେ ସ୍ଥଳ, ଆକାଶ ଏବଂ ଜଳ ପଥରେ ସୁରକ୍ଷାକୁ ଅଧିକ କଡାକଡି କରିଛି । ୩ ସେନାକୁ ହାଇ ଆଲର୍ଟ ରେ ରଖାଯାଇଛି ।

ଲଦାଖ ସୀମାରେ ଫାଇଟର ଜେଟ୍ ଏବଂ ଆପାଚୀ ଆଟାକ୍ ହେଲିକପ୍ଟର ମୁତୟନ କରିଛି ଭାରତ । ତିନି ସେନା ସଜାଗ ହୋଇ ରହିବାକୁ ଗତ ୧୮ ଜୁନ୍ ର ବୈଠକରେ ରାଜନାଥ ସିଂ ନିର୍ଦ୍ଦେଶ ଦେଇଥିଲେ । ଭାରତ ଏବେ ଚୀନ୍ ସୀମା ସହିତ ଲାଗି ରହିଥିବା ୩ ହଜାର ୫ ଶହ କିମି ସୀମା ଉପରେ କଡା ନଜର ରଖିଛି । ତିନି ସେନା ମଧ୍ୟ ହାଇଆଲର୍ଟରେ ରହିଛି ।

Leave a Reply

Your email address will not be published. Required fields are marked *