୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଏଏସଆଇ
କଳାହାଣ୍ଡି:- ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଛାଡିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରାପଡିଲେ ମହୁଲପାଟଣା ଏଏସଆଇ ମଳୟ ରଣା ।ମହୁଲପାଟଣା ଫାଣ୍ଡି ଏଏସଆଇ ମଳୟ ରଣା ରାସ୍ତା କଡରେ ଖସିଥିବା ଚିପସ ବୋଝେଇ ଟ୍ରାକ୍ଟରକୁ ଦୁର୍ଘଟଣାଗ୍ରସ୍ତ ଦର୍ଶ।ଇ ଜୋର ଜବରଦସ୍ତ ଫାଣ୍ଡିରେ ଅଟକ ରଖିଥିଲେ । ଏ ବାବଦକୁ ୧୪ ହଜାର ଟଙ୍କା ଦେଲେ ଟ୍ରାକ୍ଟର ଛାଡିବାକୁ ଟ୍ରାକ୍ଟର ମାଲିକ ମହେଶ୍ବର ସାଗରକୁ ଧମକ ଦେଇ ଆସୁଥିଲେ । ଏ ନେଇ ଟ୍ରାକ୍ଟର ମାଲିକ ମହେଶ୍ବର କଳାହାଣ୍ଡି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଶୁକ୍ରବାର ରାତିରେ ଟ୍ରାକ୍ଟର ମୁକୁଳାଇବା ବାବଦରେ ଏଏସଆଇ ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ଟଙ୍କା ସହ ଗିରଫ କରିଛି ।ଗତ ୬ ତାରିଖରେ ଥୁଆମୂଳ-ରାମପୁର ଥାନା ଏଏସଆଇ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫର ୧୪ ଦିନ ପରେ ମହୁଲପାଟଣା ଫାଣ୍ଡି ଏଏସଆଇଙ୍କ ଗିରଫଦାରୀ ପୋଲିସର ଭାବମୂର୍ତ୍ତି ଉପରେ ଲୋକଙ୍କ ବିଶ୍ବାସ ତୁଟାଉଛି ।