ଗତ ସପ୍ତାହରେ ଭର୍ତ୍ତି ହୋଇଥିଲେ ହସ୍ପିଟାଲରେ, ବସ ଷ୍ଟାଣ୍ଡରୁ ମିଳିଲା କରୋନା ସଂକ୍ରମିତଙ୍କ ମୃତ ଶରୀର,

ଅହମ୍ମଦାବାଦ :-ଗତ ସପ୍ତାହରେ କରୋନା ଭାଇରସ୍‌ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତିଙ୍କ ଗୁଜରାଟର ଅହମ୍ମଦାବାଦ ବସଷ୍ଟାଣ୍ଡରେ ମୃତ୍ୟୁ ଘଟିଛି। ବ୍ୟକ୍ତିଙ୍କ ନାମ ଛଗନ ମକଓ୍ଵାନା। ବୟସ୍ ୬୭ ବର୍ଷ।

ଶୁକ୍ରବାର ଅହମ୍ମଦାବାଦର ଡାନିଲିମଡା ସ୍ଥିତ ବସ୍‌ ଷ୍ଟାଣ୍ଡରେ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତ ଶରୀର ପଡି ରହିଥିବା ପୋଲିସ କହିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଓ ପୋଲିସ୍ ଠିକ୍ ସମୟରେ ସୂଚନା ଦେଇନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ଗମ୍ଭିରତାର ସହ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ସ୍ଵାସ୍ଥ୍ୟ ବିଭାଗର ପୂର୍ବତନ ମୁଖ୍ୟ ସଚିବ ଜେପି ଗୁପ୍ତାଙ୍କୁ ଘଟଣାର ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବ୍ୟକ୍ତି ଜଣକ କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହେବା ପରେ ମେ ୧୩ରେ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ୍ ୧୯ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ସହିତ ତାଙ୍କ ପରିବାର ଲୋକଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖାଯାଇଥିଲା।

ଶୁକ୍ରବାର ସକାଳେ BRTS ବସ୍ ଷ୍ଟାଣ୍ଡରେ ବ୍ୟକ୍ତିଙ୍କ ଶବ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଜଣେ ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ। ସେ ପୋଲିସକୁ ଏହାର ସୂଚନା ଦେଇଥିଲେ। ପୋଲିସ୍ ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ଲାଗି ଅନ୍ୟ ହସ୍ପିଟାଲକୁ ପଠାଇଛନ୍ତି। ବ୍ୟକ୍ତିଙ୍କ ପକେଟ୍‌ରୁ ତାଙ୍କ ପୁଅଙ୍କ ନମ୍ବର ପାଇବା ପରେ ପୋଲିସ ଆମକୁ ସୂଚନା ଦେଇଥିବା ମକଓ୍ଵାନାଙ୍କ ଭାଇ ଗୋବିନ୍ଦ କହିଛନ୍ତି।

Leave a Reply

Your email address will not be published. Required fields are marked *