ମଧ୍ୟ ପ୍ରଦେଶରେ ବିଜେପିର କବ୍‌ଜା, ପ୍ରଥମ ଥର ରାଜ୍ୟସଭା ଯିବେ ସିନ୍ଧିଆ

ଭୋପାଳ :-ମଧ୍ୟ ପ୍ରଦେଶରେ ରାଜ୍ୟସଭା ନିର୍ବାଚନ ପାଇଁ ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଥିଲା। ଏବେ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ପରିଣାମ ବିଜେପି ସପକ୍ଷରେ ଯାଇଛି। ବିଜେପିର ଦୁଇ ଜଣ ପ୍ରାର୍ଥୀ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ମୋଟ୍ ୨୦୬ ବିଧାୟକ ଏହି ନିର୍ବାଚନରେ ମତଦାନ କରିଥିଲେ। କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପିରେ ମିଶି ରାଜ୍ୟସଭା ଟିକେଟ୍ ପାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜୟୀ ହୋଇଛନ୍ତି। ପ୍ରଥମ ଥର ସେ ସଂସଦର ଉଚ୍ଚସଦନକୁ ଯିବେ। ସେହି ପରି ବିଜେପିର ସୁମେର ସିଂହ ସୋଲାଙ୍କି ବିଜୟୀ ହୋଇଛନ୍ତି। ଆଜିର ମତଦାନରେ ବିଜେପିର ୨ଟି ଭୋଟ୍ କ୍ଷତି ଘଟିଛି। ଜଣେ ବିଧାୟକ କ୍ରସ ଭୋଟିଂ କରିଥିବା ବେଳେ ଆଉ ଜଣଙ୍କ ଭୋଟ୍ ନାକଚ  ହୋଇ ଯାଇଛି। କଂଗ୍ରେସର ଦିଗବିଜୟ ସିଂହ ବିଜୟୀ ହୋଇଥିବା ବେଳେ ଫୁଲ୍ ସିଂହ ବରୈୟା ପରାସ୍ତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜର ରଣନୀତିରେ କଂଗ୍ରେସ୍‌କୁ ମାତ୍ ଦେବାରେ ସଫଳ ହୋଇଛନ୍ତି। କଂଗ୍ରେସର ୨୨ ବିଧାୟକଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୀତିର ସମୀକରଣ ସଂପୂର୍ଣ୍ଣ ବିଗିଡି ଯାଇଥିଲା। ଏହା ପରେ ସ୍ପଷ୍ଟ  ହୋଇ ଯାଇଥିଲା ଯେ ରାଜ୍ୟସଭାର ୩ଟି ଆସନରୁ ୨ଟି ବିଜେପି ଖାତାକୁ ଯିବ। ରାଜ୍ୟସଭା ନିର୍ବାଚନରେ ବିଜୟୀ ପାଇଁ ପ୍ରାର୍ଥୀଙ୍କୁ ୫୨ ବିଧାୟକଙ୍କ ସମର୍ଥନ ଜରୁରୀ ଥିଲା। ବିଜେପି ପାଖରେ ୧୦୭ ବିଧାୟକ ଥିଲେ, ଏମିତିରେ ଦୁଇ ବିଧାୟକଙ୍କ ବିଜୟ ସୁନିଶ୍ଚିତ ଥିଲା। ଆଜିର ଭୋଟ୍‌ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ୫୬, ଦିଗବିଜୟ ସିଂହଙ୍କୁ ୫୭, ସୁମେର ସିଂହଙ୍କୁ ୫୫, ଫୁଲ୍ ସିଂହ ବରୈୟାଙ୍କୁ ୩୬ ଭୋଟ୍ ମିଳିଥିବା ବେଳେ ୨ଟି ଭୋଟ୍ ନାକଚ ହୋଇଛି।

କଂଗ୍ରେସ ମଧ୍ୟ ବିଜେପି ପରି ରାଜ୍ୟସଭା ନିର୍ବାଚନରେ ୨ ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା। ବରିଷ୍ଠତା ଦୃଷ୍ଟିରୁ ପ୍ରଥମ ସିଟ୍‌ରେ ଦିଗବିଜୟ ସିଂହ ଏବଂ ଦ୍ଵିତୀୟ ସିଟ୍‌ରେ ଫୁଲ୍‌ ସିଂହ ବରୈୟା ଥିଲେ। ବିଧାୟକଙ୍କ ସଂଖ୍ୟା କମ୍ ହେବା କାରଣରୁ କେବଳ ଦିଗବିଜୟ ସିଂହ ବିଜୟୀ ହୋଇଛନ୍ତି।

Leave a Reply

Your email address will not be published. Required fields are marked *