ଆଇଆଇଟି ଦିଲ୍ଲୀର ଆକଳନ: ଜୁନ୍‌ ୬ ସୁଦ୍ଧା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଛୁଇଁବ

ଭୁବନେଶ୍ବର:-ଆସନ୍ତା ଜୁନ୍‌ ୬ ତାରିଖ ସୁଦ୍ଧା ରାଜ୍ୟରେ କରୋନା ରୋଗୀ ସଂଖ୍ୟା ୧୧ ହଜାର ଛୁଇଁବ । ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ରୋଗୀ ସଂଖ୍ୟା ୧୦ହଜାର ଟପିଯିବ । ଓଡ଼ିଶାରେ କରୋନା ରୋଗୀ ସଂଖ୍ୟାର ସ୍ଥିତିକୁ ଏଭଳି ଆକଳନ କରିଛି ଆଇଆଇଟି ଦିଲ୍ଲୀ।
   ଦେଶରେ କରୋନା ସଂଖ୍ୟା ଆକଳନ ପାଇଁ ଆଇଆଇଟି ଦିଲ୍ଲୀ ଏଆଇସିଏସ୍‌ଇଆଇଆର୍‌ ମଡେଲ ଆପଣାଉଛି । ଏହି ମଡେଲ ମୁତାବକ, ଜୁନ୍‌ ୬ ତାରିଖ ସୁଦ୍ଧା ରାଜ୍ୟରେ କୋଭିଡ୍‌ ରୋଗୀ ସଂଖ୍ୟା ୧୧ହଜାର ୨୮୩ରେ ପହଞ୍ଚିବ ।ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରୁଥିବାରୁ କରୋନା ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିବ । ପ୍ରାୟ ୫ଲକ୍ଷରୁ ଅଧିକ ଶ୍ରମିକ ରାଜ୍ୟକୁ ଫେରିବେ । ଏଣୁ ମେ ୧୫ରୁ ଜୁନ୍‌ ୬ ତାରିଖ ଭିତରେ ରାଜ୍ୟରେ କୋଭିଡ୍‌ ରୋଗୀ ସଂଖ୍ୟା ୧୫ଗୁଣା ହାରରେ ବଢ଼ିବ ବୋଲି ଆଇଆଇଟି ଦିଲ୍ଲୀ ଆକଳନ କରିଛି ।
  ପୂର୍ବରୁ ମଧ୍ୟ ରାଜ୍ୟରେ କରୋନା ସଂଖ୍ୟା ହାରକୁ ନେଇ ଆଇଆଇଟି ଦିଲ୍ଲୀ ଆକଳନ କରିଥିଲା । ମେ ୧୨ସୁଦ୍ଧା ଏହି ସଂଖ୍ୟା ୩୬୫ରେ ପହଞ୍ଚିବ ବୋଲି କୁହାଯାଇଥିଲା । କିନ୍ତୁ ଏହି ସମୟ ଭିତରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୪୩୭ରେ ପହଞ୍ଚିଥିଲା । ଏଣୁ ଜୁନ୍‌ ମାସ ୬ ତାରିଖ ସୁଦ୍ଧା ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟାକୁ ନେଇ ଆଇଆଇଟି ଦିଲ୍ଲୀ ତାଜା ଆକଳନ କରିଛି ।
  ମେ ୧ରୁ ମେ ୧୫ ତାରିଖ ଭିତରେ ରାଜ୍ୟରେ କୋଭିଡ୍‌ ରୋଗୀ ସଂଖ୍ୟା ୩୭୮ ପ୍ରତିଶତ ହାରରେ ବଢ଼ିଛି । ୧୫ ତାରିଖ ସୁଦ୍ଧା ରୋଗୀ ସଂଖ୍ୟା ୭୩୭ରେ ପହଞ୍ଚିବା ପାଇଁ ପଜିଟିଭ୍‌ କେଶ୍‌ ସଂଖ୍ୟା ୫ଗୁଣା ହାରରେ ବଢିଥିଲା । ମେ ୧ରେ ପଜିଟିଭ୍‌ ସଂଖ୍ୟା ୧୫୪ ଥିଲା । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ଏବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୯ପ୍ରତିଶତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି । 

Leave a Reply

Your email address will not be published. Required fields are marked *