ଏଣିକି କିରାସିନି ଚଢ଼ାଦରରେ ବିକିଲେ ରଦ୍ଦ ହେବ ଲାଇସେନ୍ସ୍,

ଭୁବନେଶ୍ବର:-ଏଣିକି କିରାସିନି ଚଢ଼ା ଦରରେ ବିକିଲେ ସମ୍ପୃକ୍ତ ଡିଲରଙ୍କ ଲାଇସେନ୍ସ୍ ରଦ୍ଦ କରାଯିବ। ଖାଲି ସେତିକି ନୁହେଁ, କିରାସିନି ଲିଟର ପିଛା ଦର ପ୍ରତ୍ୟେକ ସୁଲଭ ମୂଲ୍ୟ ଦୋକାନ ଓ ହୋଲସେଲ୍ ଦୋକାନ ସମ୍ମୁଖରେ ଲାଗିଥିବା ବୋର୍ଡ଼ରେ ଉଲ୍ଲେଖ କରାଯିବ। ଏହାସହିତ ରାସନକାର୍ଡ଼ ହିତାଧିକାରୀଙ୍କୁ ମାସିକିଆ ପ୍ରାପ୍ୟ ପରିମାଣ ବିଷୟରେ ବି ଉଲ୍ଲେଖ କରାଯିବ। କିରାସିନି କେଳେଙ୍କାରୀ ନେଇ ଖବର ପ୍ରକାଶ ପାଇବା ପରେ ସରକାର ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ ଗତକାଲି ଯୋଗାଣ ବିଭାଗ ଶାସନ ସଚିବ ତଥା କମିସନର ବୀର ବିକ୍ରମ ଯାଦବ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।ଶ୍ରୀ ଯାଦବ ଜଣାଇଛନ୍ତି, କିରାସନିର ବିକ୍ରି ମୂଲ୍ୟ ଜିଲ୍ଲାସ୍ତରରେ ସ୍ଥିର କରାଯାଉଥିବା ଦୃଷ୍ଟିରୁ ସମସ୍ତ ରାସନକାର୍ଡ଼ଧାରୀଙ୍କୁ ଯେପରି ସୁଷମ ବଣ୍ଟନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ତଦାରଖ କରିବ। କିରାସିନି କଳାବଜାରୀ ରୋକିବାକୁ ଜିଲ୍ଲା, ବ୍ଲକ୍, ସବଡିଭିଜନ୍ ସ୍ତରରେ ସ୍କ୍ବାଡ଼ ଗଠନ କରାଯିବ। ଏହି ସ୍କ୍ବାଡ଼ ନିୟମିତ ଭାବେ ସୁଲଭ ମୂଲ୍ୟ ଦୋକାନ ଯାଞ୍ଚ କରିବେ। କୌଣସି ଅସାଧୁ ରିଟେଲର୍ ଚଢ଼ା ଦରରେ କିରାସିନି ବିକ୍ରି କରିବା ନଜରକୁ ଆସିଲେ ଓପିଡିଏସ୍ କଣ୍ଟ୍ରୋଲ ଅର୍ଡ଼ର୍ -୨୦୧୬ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସମସ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଅଧିକ ତତ୍ପରତା ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଚିବ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *