ବିନା ଭକ୍ତରେ ହେବ ଘୋଷଯାତ୍ରା: ସେବାୟତ ଏବଂ ସୁରକ୍ଷାକର୍ମୀ ଟାଣିବେ ରଥ

ପୁରୀ:-ପୁରୀରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ନେଇ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ଘୋଷଣା କରିନଥିଲେ ମଧ୍ୟ ସ୍ନାନଯାତ୍ରା ଭଳି ଶ୍ରୀଜିଉଙ୍କ ରଥଯାତ୍ରା ହେବ ବୋଲି ସୂଚନା ମିଳିଛି । କୋଭିଡ୍ କଟକଣା ପାଇଁ ଏଥର ପୁରୀ ବଡ଼ ଦାଣ୍ଡରେ ୧୪୪ଧାରା ଜାରି କରାଯାଇ ବିନା ଭକ୍ତରେ ରଥଯାତ୍ରା ହେବ ଏବଂ ସେବାୟତ ଏବଂ ସୁରକ୍ଷାକର୍ମଚାରୀ ରଥ ଟାଣିବେ  ବୋଲି କୁହାଯାଉଛି । ସେପଟେ ବିରୋଧୀ ମଧ୍ୟ ପୁରୀରେ ଜଗନ୍ନାଥଙ୍କ ରଥଯାତ୍ରା ହେଉ ବୋଲି ଚାହୁଁଛନ୍ତି ।

ସ୍ନାନଯାତ୍ରା ଭଳି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ରଥଯାତ୍ରା । ପୁରୀ ବଡ଼ ଦାଣ୍ଡରେ ୧୪୪ଧାରା ବଳୟ ଭିତରେ ରଥ ଟାଣିବେ ସେବାୟତ ଆଉ ସୁରକ୍ଷାକର୍ମୀ । ଜଗତ ଠାକୁର ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ଟିଭିରେ ଦେଖନ୍ତୁ ବିଶ୍ବବାସୀ । ସମସ୍ତେ ଏୟା ହିଁ ତ ଚାହୁଁଛନ୍ତି । ଯଦିଓ ରାଜ୍ୟ ସରକାର ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାନ୍ତି, ତଥାପି ପୂର୍ବ ପ୍ରସ୍ତୁତିକୁ ଦେଖିଲେ ରଥଯାତ୍ରା ହେବା ନେଇ ଆଶା ବଢ଼ିଛି । କୋଭିଡ୍‌ କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ହେବାରେ କୌଣସି ଅସୁବିଧା ନାହିଁ ବୋଲି ଭାବୁଛନ୍ତି ଖୋଦ୍‌ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ସେପଟେ ରଥଯାତ୍ରାକୁ ନଜରରେ ରଖି ସେବାୟତଙ୍କ ପାଇଁ ବୟନିକାରୁ ୫ହଜାର ମାସ୍କ ପାଇଁ ବରାଦ ଦିଆଯାଇଛି ।

ହାତରେ ମାତ୍ର ଆଉ ୮ଦିନ ରହିଲା । ତେଣୁ ପୁରୀରେ ରଥଯାତ୍ରା ପାଇଁ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । ଏବଂ କୋଭିଡ୍‌ ଗାଇଡ୍‌ ଲାଇନ୍‌ ପାଳନ ସହ ରଥଯାତ୍ରା ହେଉ ବୋଲି ବିରୋଧୀ ଦାବି କରୁଥିବା ବେଳେ ବିଜେଡି କହିଛି ରଥଯାତ୍ରା ହେବ ନାହିଁ ବୋଲି ସରକାର କେଉଁଠି ମନା କରିନାହାନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ।ଏପଟେ ରଥଯାତ୍ରାକୁ ନେଇ ବିଭିନ୍ନ ସ୍ତରରେ ଡାଇଲଗ୍‌ବାଜି ଚାଲିଥିବା ବେଳେ ସେପଟେ ରଥ ଖଳାରେ ଜୋର୍‌ସୋର୍‌ରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ ।ବିଶ୍ବକର୍ମା ମହାରଣା, ଭୋଇ ସେବାୟତ, ରୂପକାର, ଚିତ୍ରକର, କମାର ସେବାୟତ, ଦରଜୀ ସେବାୟତମାନେ ରଥ ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *