ଦିଲ୍ଲୀରୁ ଆସିଥିଲେ ପୁଅ, କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇଦେଲେ ସରପଞ୍ଚ ମା’

ଝାରସୁଗୁଡା:- ସୋମବାର ପୁଅ ଦିଲ୍ଲୀରୁ ଫେରିଥିଲେ । ରାତି ୧୨ଟା ବେଳେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଥିଲେ ପୁଅ । ବିମାନବନ୍ଦରରୁ ଗାଡି ସିଧା ବାହାରିଥିଲା ଗାଁ ଅଭିମୁଖେ । କିନ୍ତୁ ଘରେ ପାଦ ପକାଇବା ପୂର୍ବରୁ ପୁଅକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ନେଇଯିବାକୁ ପରାମର୍ଶ ଦେଇଥିଲେ ମା’ । ଯେଉଁଠି ବାହାରୁ ଆସିଥିବା ଅନ୍ୟ ଲୋକଙ୍କ ସହ ପୁଅକୁ ରହିବାକୁ କହିଥିଲେ ମା’ । ଏପରିକି  ପୁଅ ମଧ୍ୟ କିଛି ମନମାନି ନକରି କ୍ୱାରେଣ୍ଟାଇନ ସେଣ୍ଟରକୁ ହସି ହସି ଚାଲି ଯାଇଥିଲେ । କାରଣ ପୁଅ ଜାଣିଛନ୍ତି, ଏହି ମହାମାରୀରେ ତାଙ୍କ ମା’ ବି ଜଣେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି । ଆଉ ଦିଲ୍ଲୀରୁ ଆସିଥିବା ନିଜ ପୁଅକୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସରପଞ୍ଚ ମା’ । କରୋନା ମହାମାରୀ ସମୟରେ କଳାହାଣ୍ଡି ଜିଲ୍ଲା କୋକସରାର ଗମ୍ଭାରୀଗୁଡା ପଞ୍ଚାୟତରୁ ଆସିଛି ଜଣେ ସରପଞ୍ଚ ମା’ଙ୍କ କର୍ତ୍ତବ୍ୟ ପରାୟଣତାର କାହାଣୀ ।

ମମତା ପଛ,  କର୍ତ୍ତବ୍ୟ ଆଗ । କିଛି ଏଭଳି ଢଙ୍ଗରେ କରୋନା ଯୁଦ୍ଧ ଲଢୁଛନ୍ତି କୋକସରା ଗମ୍ଭାରୀଗୁଡା ସରପଞ୍ଚ ନନ୍ଦିତା ସାହୁ ।  ସମସ୍ତଙ୍କ ପାଇଁ ଯେଉଁ ନିୟମ, ପୁଅ ପାଇଁ ମଧ୍ୟ ସେହି ସମାନ ନିୟମ ।  ଦିଲ୍ଲୀର ଏକ ସଫ୍ଟୱେୟାର କମ୍ପାନିରେ ଚାକିରି କରୁଥିବା ନନ୍ଦିତାଙ୍କ ପୁଅ ଲୋକେଶ ଗତ ସୋମବାର ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରୁ ସିଧା ଗାଁ ଅଭିମୁଖେ ଯାଇଥିଲେ ଲୋକେଶ । ଦୀର୍ଘ ଦିନ ପରେ ପୁଅ ଆସିଥିଲେ ମଧ୍ୟ ଟିକିଏ ବି ଭାବପ୍ରବଣ ହୋଇନଥିଲେ ସରପଞ୍ଚ ମା’  । ରାଜ୍ୟ ସରକାର ଦେଇଥିବା ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରିବା ସହ ସରକାରୀ ନିୟମ ଅନୁଯାୟୀ, ଅନ୍ୟ ପ୍ରବାସୀଙ୍କ ଭଳି ନିଜ ପୁଅ ଲୋକେଶଙ୍କୁ ମଧ୍ୟ ଓଲମା ଗାଁରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରେ ରଖିବାକୁ ପରାମର୍ଶ ଦେଇଥିଲେ ନନ୍ଦିତା ।ମା’ଙ୍କ କଥା ମାନି ପୁଅ ଲୋକେଶ ମଧ୍ୟ ଏବେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି । ଏପରିକି ଜଣେ ସରପଞ୍ଚ ଭାବେ ମା’ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିପାଇଁ ଗର୍ବିତ ବୋଲି କହିଛନ୍ତି ଲୋକେଶ ।

Leave a Reply

Your email address will not be published. Required fields are marked *