ସମ୍ପତ୍ତି ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ, ଜମି ବିବାଦରୁ ଦାଦା ଓ ଖୁଡିକୁ ମାରିଦେଲା ପୁତୁରା
କଣ୍ଟାବାଞ୍ଜି:- ଜମିବାଡ଼ି କଳହ ହତ୍ୟାକାଣ୍ଡର ରୂପ ନେଇଛି । ନିଜ ଦାଦା ଓ ଖୁଡିକୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫିଙ୍ଗି ଦେଲା ପୁତୁରା । ଏଭଳି ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା କୁଟୁରାବେଡ଼ା ଗାଁରେ ।
ଗାଁରେ ରହୁଥିବା ତ୍ରିଲୋଚନ ନାଗଙ୍କ ପରିବାରର ତାଙ୍କ ପୁତୁରା କୁଶ ନାଗଙ୍କ ସହ ଦୀର୍ଘ ବର୍ଷରୁ ଜମିକୁ ନେଇ ବିବାଦ ରହିଥିଲା । ଜମି ବିବାଦ ଦିନକୁ ଦିନ ଦୁଇ ପରିବାର ମଧ୍ୟରେ ବଢି ବଢି ଚାଲିଥିଲା ।ଶୁକ୍ରବାର ରାତିରେ ତ୍ରିଲୋଚନ ଗାଁରେ ତାସ ଖେଳୁଥିବା ସମୟରେ ଅଚାନକ ପୁତୁରା କୁଶ ଆସି ଝଗଡା ଆରମ୍ଭ କରିଥିଲା । ପୂର୍ବରୁ ହତ୍ୟା ଯୋଜନା କରିଥିବା ପୁତୁରା କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏହି ଖବର ପାଇ ତ୍ରିଲୋଚନଙ୍କ ସ୍ତ୍ରୀ ବିରୋଧ କରିବାକୁ କୁଶ ପ୍ରଥମେ ନିଜ ଦାଦାକୁ ହତ୍ୟା କରିବା ପରେ ଖୁଡିକୁ ହତ୍ୟା କରି ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ନେଇ ଗାଁରେ ଥିବା ଏକ କୁଅରେ ଫିଙ୍ଗି ଦେଲା ।ପୋଲିସ ଘଟଣାର ଖବର ପାଇ ହତ୍ୟାକାରୀ କୁଶକୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି । ତେବେ ମୃତକଙ୍କ ଝିଅ ଏହି ହତ୍ୟା ପଛରେ କୁଶର ପରିବାର ଥିବାବେଳେ ପୂର୍ବରୁ ମଧ୍ୟ ହତ୍ୟା କରିବାକୁ ଆକ୍ରମଣ କରିଥିଲା ବୋଲି କହିଛନ୍ତି । ଏ ଘଟଣାକୁ ନେଇ ବଙ୍ଗୋମୁଣ୍ଡା ଥାନା ମାମଲା ଥିବାବେଳେ କୁଶ ଜେଲ୍ ଯାଇ ଜାମିନରେ ଆସିଥିଲେ ।